Unknown

 

 

 

 

 

 

 

 

 

 

ଚନ୍ଦ୍ରିକା

କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ

 

ସୂଚୀପତ୍ର

 

ଚନ୍ଦ୍ରିକା

ସାରଥୀ

ଶିରଦାନ

ଦିଗ ବିଜୟ

ଅତି ବଡ

ମାଳାତି

ସୁନିଆଁମିଳନ

 

 

ଚନ୍ଦ୍ରିକା

ଚନ୍ଦ୍ରିକା !

ଯେବେ ବିଳସିଲ ମଧୁ ଲଗନେ;

କଣ୍ଠେ କଣ୍ଠେ ଅଭିନନ୍ଦନ ଉଛୁଳିଲା ସାରା ଭୁବନେ

ଶଙ୍ଖେ ଶଙ୍ଖେ ଜୟ ସଙ୍ଗୀତ ଘୋଷିଗଲା ପରା ଭବନେ,

ଉଜ୍ଜ୍ୱଳ-କର ହସିଲା, ରସିଲା, କଜ୍ଜଳ-ଘନ ଗଗନେ ।

[୨]

ଚନ୍ଦ୍ରିକା !

ଯେବେ ରଖିଥିଲା କରି ବନ୍ଦୀ,

ରକ୍ଷ-ପୁରୀର ରକ୍ତ-ଶୋଷକ ଫାନ୍ଦି ବିବିଧ ଫନ୍ଦୀ,

(ତୁମେ) ଗୁନ୍ଥିଲ ବସି ସତ୍ୟ-ସୁମନ ଅଂହିସଡୋରେ ଛନ୍ଦି,

ମନ୍ଦ୍ରେ ଗାଇଲ ଶାନ୍ତି ମନ୍ତ୍ର ଶାଶ୍ୱତ ପଦ ବନ୍ଦି ।

[୩]

ଚନ୍ଦ୍ରିକା !

ଯେବେ କର ପଦ ଥିଲା ବନ୍ଧ,

କୁଞ୍ଜ-କୋଇଲିମଉନ, ମଳିନ କୁସୁମ ବିଗତ ଗନ୍ଧ,

ଗୁଞ୍ଜନ ଭୁଲି ଭୃଙ୍ଗ ନିକର ଗର୍ଜିଲେ ଅତି ମନ୍ଦ୍ର,

ପୁରୀ ଅନ୍ଧାର ହରାଇ ତାରକା, ଜନନୀ ନୟନ ଅନ୍ଧ ।

[୪]

ଚନ୍ଦ୍ରିକା !

ଯେବେ ଫେଇଥିଲ ଖର ଶ୍ୱାସେ,

ଘୂର୍ଣ୍ଣି ସରଜି କଠୋର ବଜ୍ର ପ୍ରବଳ ଗର୍ଜି ଆସେ ।

ଫେନ-ମୁକୁଟ ଊର୍ମ୍ମି ବିକଟ ଜଳଧି ଉରସେ ଭାସେ,

ମୃତ୍ୟୁ ଛନ୍ଦେ ପ୍ରଳୟ କାନ୍ଦେ ଦିଗ ଦିଗନ୍ତ ତ୍ରାସେ ।

[୫]

ଚନ୍ଦ୍ରିକା !

ଯେବେ ହେଲ ହେ ଜଗତ-ଜିତା,

ରକ୍ତାମ୍ବର ପହରି ଚରଣ ବନ୍ଦିଲା ଜ୍ୱଳ-ଚିତା,

ଦନୁଜ-ଦଳନୀ ଜନନୀ ଡାକିଲେ ତେଜ ସନ୍ତାନ ଚିନ୍ତା,

ରୁଦ୍ର-ଶାନ୍ତ ବନ୍ଦୀ କରରେ ସାଜିଲା ମୋହନ-ଗୀତା ।

[୬]

ଚନ୍ଦ୍ରିକା !

ଯେବେ ଦେଲ କାନେ ଗୁରୁବାର୍ତ୍ତା,

ସତ୍ୟାଗ୍ରହୀ ମୁକ୍ତି-କଣ୍ଠେ ବରିଲା ଭୀଷଣ ହତ୍ୟା,

ହତ୍ୟା ନୁହଇ, ପ୍ରଖରେ ବହିଲା ଶକ୍ତିର ସେ କି ବାତ୍ୟା !

ଚଣ୍ଡ-ଶାସନ ପଣ୍ଡ ମଣିଲା ଦଣ୍ଡ-ମୁଣ୍ଡ କର୍ତ୍ତା ।

[୭]

ଚନ୍ଦ୍ରିକା !

ଯେବେ ଜାଗିଲ ସମର ସାଜେ,

ରକ୍ତବିନ୍ଦୁ ପତନ ନୋହିଲା, ଶାନ୍ତି ମନ୍ତ୍ର ବାଜେ,

ଚକିତ ବିଶ୍ୱ ଦେଖିଲା ନିଃସ୍ୱ ନୁହ ତ ଶକ୍ତି ରାଜେ,

ବନ୍ଦିଲା ଅରି ଚରଣ କମଳ ଆତ୍ମମରଣ ଲାଜେ ।

[୮]

ଚନ୍ଦ୍ରିକା !

ଯେବେ କିରଣ ଦେଲ ବିସାରି,

ଝରିଲା ଭୁବନେ ବିମଳ ତରଳ ଅମଳ ଶାନ୍ତି ବାରି,

ମୃତ୍ୟୁ ଭଜିଲା ଦୁର୍ମଦ ଅରି ହିଂସା ବିଷ ଉଗାରି,

ବନ୍ଦେ ଭୁବନ, ଭାରତ-ଗଗନ ଅନ୍ଧ-ତମସ-ହାରୀ ।

 

ସାରଥି

 

‘‘ପଞ୍ଚ ପଡ଼ା ମାତ୍ର ମାଗେ

ନୁହେ ପଞ୍ଚ ରାଜ୍ୟ,

ଦିଅ ରାଜା ଦୁର୍ଯ୍ୟୋଧନ

ପାଣ୍ଡବର ନ୍ୟାଯ୍ୟ ।’’

 

ଶକୁନିର ପରାମର୍ଶେ

ରାଜା ଦୁର୍ଯ୍ୟୋଧନ,

ସୁଚ୍ୟଗ୍ର ମେଦିନୀ ଦାନେ

କରିଲା ବାରଣ ।

 

କ୍ଷୁର୍ଣ୍ଣ ମନେ ବାହୁଡ଼ିଲେ

ସଭାରୁ ଗୋବିନ୍ଦ,

ଝାଉଁଳି ପଡ଼ିଛି ଶିରୀ,-

ମୁଖ-ଅରବିନ୍ଦ ।

 

ପୁଚ୍ଛିଲେ ପାଣ୍ଡବ ମାତା

ପାଣ୍ଡୁ ପଞ୍ଚଭାଇ,

‘‘କି ହେଲା ଗୋବିନ୍ଦ ! କିପାଁ

ମନେ ସୁଖ ନାହିଁ ?’’

 

କହିଲେ ଶ୍ରୀକୃଷ୍ଣ,

‘‘ଗଲି ପଞ୍ଚପଡ଼ା ମାଗି,

ମନା କଲା ଦୁର୍ଯ୍ୟୋଧନ,

ଭିକ୍ଷା ଦାନ ଲାଗି ।’’

 

ଭୀମ କହେ, ‘‘ଜାଣେ ମୁହିଁ

ପୂର୍ବେ ତ କହିଛି,

ଉପରୋଧଅନୁରୋଧେ-

ଫଳ ନାହିଁ କିଛି ।

 

ତୁଟିଲା ତ ମୋହ ଏବେ

ଭାଙ୍ଗିଲା ତ ନିଦ,

ଅପମାନେ ଫେରିଲେ ତ

ଆପଣେ ଗୋବିନ୍ଦ?

 

ଅର୍ଥ ବଳେ, ଅନ୍ନ ବଳେ

ରାଜ୍ୟ ଦେଇ ଅବା,

କିଣି ଅଛି ଦୁର୍ଯ୍ୟୋଧନ

ଦ୍ରୋଣ କର୍ଣ୍ଣ ଗଭା।

 

ଗର୍ବ-ପର୍ବତେ ହୋଇଛି

ପକ୍ଷର ସୃଜନ,

ସେ କିପାଁ ଘେନିବ

କହ ଗୋବିନ୍ଦ ବଚନ ?’’

 

ସବୁଥିରେ ଜ୍ୟେଷ୍ଠ ଖାଲି

ଦୋଳାଇବେ ମଥା,

ନତୁ କେତେ କାଳୁ କଥା

ହୁଅନ୍ତା ଅନ୍ୟଥା ।’’

 

କହିଲେ ଗୋବିନ୍ଦ,

‘‘ଆଉ କଥାରେ କି କାର୍ଯ୍ୟ ?

ମନେ ହୁଏ-କୁରୁକ୍ଷେତ୍ର

ଯୁଦ୍ଧ ଅନିବାର୍ଯ୍ୟ ।’’

 

ଧର୍ମ୍ମରାଜ ମନ ଦୁଃଖେ

କହିଲେ, ‘‘ହେ ହରି,

ବିଧି ବିଧିକି ଅସିଦ୍ଧି

କେ ପାରିବ କରି ?

 

ପିତାମହ ଭୀଷ୍ମ, ପୁଣି

ଦ୍ରୋଣଅସ୍ତ୍ରଗୁରୁ,

ଏମାନେ କି ଅସ୍ତ୍ରଧାରୀ

ହେବେ ସେ ପକ୍ଷରୁ ?’’

 

‘‘ଅନ୍ନପୁଷ୍ଟ, ଦୁର୍ଯ୍ୟୋଧନେ

ତେଜିବେ କିପରି ?

ଗତ୍ୟନ୍ତର ଅଛି କାହିଁ ?’’

କହିଲେ ଶ୍ରୀହରି ।

 

ଅର୍ଜୁନ କହିଲେ, ‘‘ସଖା, ।

ନାହିଁ ମୋର ଦର

ନିଜ କଥା କହିବଟି

ଆପଣେ ଶ୍ରୀଧର ।

 

ସଂଶପ୍ତକ ସେନା ତୁଲେ

ତୁମ୍ଭେ ଥିଲେ ଏକା,

ବିଜୟୀ ପାଣ୍ଡବ ନିଶ୍ଚେଁ

ସ୍ୱର୍ଣ୍ଣାକ୍ଷରେ ଲେଖା ।’’

 

ଶ୍ରୀକୃଷ୍ଣ କହିଲେ, ‘‘ଶୁଣ,

ପାଣ୍ଡବ ମଧ୍ୟମ

ଇତି ମଧ୍ୟେ ଘଟିଲାଣି

ଅଘଟ ଘଟନ।

 

ଜାଣ ତୁମ୍ଭେ ହଳଧର

ବନ୍ଧୁ କୌରବର

ନୀରବ ରହିବି ମୁହିଁ

ଇଚ୍ଛା ତାହାଙ୍କର ।

 

ଜାଣ ତୁମ୍ଭେ ହଳଧର

ବନ୍ଧୁ କୌରବର

ନୀରବ ରହିବି ମୁହିଁ

ଇଚ୍ଛା ତାହାଙ୍କର ।

 

ଆମନ୍ତ୍ରିଛି ନିଜ ପକ୍ଷେ

ମୋତେଦୁର୍ଯ୍ୟୋଧନ,

ସଭାରେ ମୁଁ କହି ଅଛି

ଏମନ୍ତ ବଚନ:-

 

‘‘ଏ ସମରେ ଅସ୍ତ୍ର ମୁହିଁ

ନ କରିବି ଘେନା

ଯୁଦ୍ଧେ ଯୋଗ ଦେବେ ମୋର

ସଂଶପ୍ତକ ସେନା ।

 

ନିରସ୍ତ୍ର ରହିବି ମୁହିଁ,

ଯାହା ପକ୍ଷ ଧରି

ସେନାଏଁ ଯୁଝିବେ ତାର
ବିପକ୍ଷ ଆଦରି ।’’

 

କହିଲେ କିରୀଟୀ, ‘‘ଦେବ,

କର ସମାଧାନ,

କେଉଁ ପକ୍ଷେ ସଂଶପ୍ତକ,

କାହାର ଆପଣ ?

 

ସତ୍ୟ ଯେବେ କରି ଅଛ

ଆପଣେ ଶ୍ରୀଧର,

ମୀମାଂସା ଆପଣା ହାତେ,

ପ୍ରଶ୍ନ ଗୁରୁତର ।’’

 

‘‘ଏହି ପ୍ରଶ୍ନ କରିଥିଲେ

ମୋତେଦୁର୍ଯ୍ୟୋଧନ,’’

ଶ୍ରୀ କୃଷ୍ଣ କହିଲେ ‘‘ଶୁଣ,

ଦେଇଛି ବଚନ:-

 

ଶୟନାନ୍ତେ ଆଜି ନିଶି

ହୋଇଲେ ପ୍ରଭାତ,

ଦୁର୍ଯ୍ୟୋଧନ, ସବ୍ୟସାଚୀ

ଥିବେ ଉପଗତ ।

 

ନିଦ୍ରା ତେଜି ମୁଖ ଯାର

ପ୍ରଥମେ ଦେଖିବି

ନ ଧରିଣ ଅସ୍ତ୍ର ମୁହିଁ

ତା ପକ୍ଷେ ରହିବି ।

 

ବିପକ୍ଷ କୁଳରେ ମୋର

ସଂଶପ୍ତକ ସେନା,

ଏ କଥାକୁ ସଭାସ୍ଥଳେ

ସର୍ବେ କଲେ ଘେନା ।’’

 

ଅର୍ଜ୍ଜୁନ ବୋଇଲେ,

‘‘ସଖା ! ତୁମ୍ଭ କଥା ରହୁ,

ସମଦୃଷ୍ଟିଗୋବିନ୍ଦର

ତ୍ରିଭୁବନ ଗାଉ ।’’

 

-ଦୁଇ-

 

ଚିନ୍ତିତ ଉନ୍ନିଦ୍ର ପାର୍ଥ

ପୁହାଇ ଶର୍ବରୀ,

କୃଷ୍ଣ ସନ୍ନିଧାନେ ଗଲେ

ଗୋବିନ୍ଦସୁମରି।

 

ଦେଖିଲେ ସେ ଭାଜିନାହିଁ

ଶ୍ରୀହରି-ଶୟନ,

ସୀମସ୍ଥାନେ ବସିଛନ୍ତି

ମାନୀଦୁର୍ଯ୍ୟୋଧନ।

 

ପଦତଳେ ଉଭାହେଲେ

ଅନୁଗତ ସରି,

ଦେଖି ଦୁର୍ଯ୍ୟୋଧନ ଚିତ୍ତେ

ଘୃଣା ଗଲା ଭରି ।

 

ଡାକିଲା କଜ୍ଜଳପାତୀ

ଶେଷେ ବିଭାବରୀ,

କମଳ-ନୟନ ମେଲି

ଚେତିଲେ ଶ୍ରୀହରି ।

 

ପଡ଼ିଲା କରୁଣା-ନେତ୍ର

ଅର୍ଜ୍ଜୁନର ପରେ,

ସ୍ନେହ ଭକ୍ତି ଘେନି

ପାର୍ଥ ପ୍ରଣମେ ପୟରେ ।

 

ହସି ପାର୍ଥେ ହରି କଲେ

ଶୁଭ ସଂଭାଷଣ,

ଅଭିମାନେ ଦୁର୍ଯ୍ୟୋଧନ

ତେଜିଲେ ଆସନ ।

 

ଗୋବିନ୍ଦ ଦେଖିଲେ ପଛେ

ରାଜା ଦୁର୍ଯ୍ୟୋଧନ,

ପଚାରିଲେ ‘‘କେତେବେଳେ

ଆସିଛ ଆପଣ ?’’

 

‘‘ଆସିଲିଣି ବହୁକାଳୁଁ’’

ଭାଷେ ଦୁର୍ଯ୍ୟୋଧନ

‘‘ମୋହୋପରେ ପ୍ରବେଶିଲେ

ପାଣ୍ଡବ-ମଧ୍ୟମ ।’’

 

‘‘ନୟନ ମେଲାଇ କିନ୍ତୁ

ଦେଖିଲି ପହିଲେ

କିରୀଟି ବଦନ’’, -ବୋଲି

ଶ୍ରୀକୃଷ୍ଣ କହିଲେ ।

 

‘‘ତେଣୁ ନିଜେ ଯୋଗ ଦେବି

ପାଣ୍ଡବ ପକ୍ଷରେ,

ବଚନ ପ୍ରମାଣେ ଅସ୍ତ୍ର

ନ ଧରିବି କରେ ।’’

 

ଦୁର୍ଯ୍ୟୋଧନ କହେ ‘‘ମୁଁ ଯେ

ଆସିଛି ପ୍ରଥମ,’’

ଶ୍ରୀକୃଷ୍ଣ ଭାଷିଲେ ‘‘ନିନ୍ଦ୍ରା-

ତେଜି ମୋ ନୟନ,-

 

ଅର୍ଜୁନେ ଭେଟିଛି, ତେଣୁ

ଦୋଷ ନ ବିଚାର

ସଂଶପ୍ତକେଯୋଗଦେବେ

କୁରୁସ୍କନ୍ଦାବାର।’’

 

ପାର୍ଥ କହେ ‘‘ସଖା, ବନ୍ଧୁ,

ପ୍ରଭୁ ଚକ୍ରଧର,

ଜୀବନ ସାରଥି ! ହୁଅ

ସାରଥି ରଥର ।’’

 

 

ଶିରଦାନ

 

[୧]

ସ୍ତିମିତ ବିଦ୍ରୋହ-ବହ୍ନି କୂଟ କଉଶଳେ,

ଦଳିତ ଉନ୍ନତ ଶିର କ୍ଷମତାର କଳେ,

ମରକର କର ହାସ୍ୟ ଭରା ଧରାତଳେ,

ନୀରବ ନିଷ୍ପନ୍ଦ ଗ୍ରାମ ରାଜ-କର ଡରେ ।

 

[୨]

ତଥାପି ଗଗନୁ ଲିଭି ନାହିଁ ଧୂମ ଶିଖା,

ବୀର ଜଗବନ୍ଧୁ ଭାଲେ ଲେଖା ସିନା ଭିକ୍ଷା,

ପାସୋରି ନାହିଁ ପାଇକ ବୀର ବଂଶ ଦୀକ୍ଷା,

ପାରିବ କି ଭୁଲି ଯାହା ଆଜନମ ଶିକ୍ଷା ।

 

[୩]

ଝଡ଼ି ତ ପଡ଼ିଛି ଜୟୀ ରାଜଗୁରୁ ମୁଣ୍ଡ,

ଶାସକ- ଶାସନେ ମୂକ ବାବଦୂକ ତୁଣ୍ଡ,

ଦରିଆରେ ଧାର୍ଯ୍ୟ ହେଲା ଲୁଣ-ଛଣା ତଣ୍ଡ,

କଉଡ଼ି ବଦଳେ ଟଙ୍କା-କର-ଦିଆ ଦଣ୍ଡ ।

 

[୪]

ଶୋଷକ-ଶାସକ କୂଟ ଫିରଙ୍ଗିର ଦଳ,

ବିଜୟ ଦର୍ପରେ ହେଲେ ନିରୀହର ଶଲ,

ଉତ୍ପୀଡ଼ିତନିର୍ବିଚାରେ ଭେଲ ଅବା ଭଲ,

ଅସ୍ତ୍ରମୁନେ ଥରିଗଲା ଏ ସାରା ଉତ୍‌କଳ।

 

[୫]

ତଥାପି ନିର୍ଜୀବ ଗ୍ରାମ କୃଷ୍ଟି ଭୁଲି ନାହିଁ,

ତଥାପି ଉତ୍‌କଳ ପଲ୍ଲୀ, ଝୁରେ ଗୁଣ ଗାଇ:-

ବକ୍‌ସୀ, ରାଜଗୁରୁ ତାର ପ୍ରାଣ ଦିଆ ଭାଇ,

ଗର୍ଜନ କି ଭୁଲେ ସିଂହ ବାଗୁରାରେ ଥାଇ ?

 

[୬]

ଆଜି ମଧ୍ୟ ନଇଁ ନାହିଁ ମାଣତିରୀ ଗଡ଼,

ଲଢ଼ିବାକୁଛିଡ଼ା ଦଳ-ବେହେରାର ହାଡ଼,

କଳା ପରେ ଗୋରା ଜାତି ଅତ୍ୟାଚାର ମାଡ଼,

ଡେଇଁ ପାରି ନାହିଁ ଗଡ଼ ସୀମା କଣ୍ଟାବାଡ଼।

 

[୭]

ଖାଇ ରହିଛନ୍ତି ଯେତେ ଫିରିଙ୍ଗି ନିମକ,

କର ଲାଗି ଗ୍ରାମେ ଗ୍ରାମେ ବଜାନ୍ତି ଟମକ,

ଅନାଚାରୀ ଅତ୍ୟାଚାରୀ ଅସ୍ତ୍ରର ଧମକ,

ଦଳ-ବେହେରାଙ୍କ ନାମେ ଲଭଇ ଚମକ ।

 

[୮]

ପ୍ରମାଦ ଗଣିଲେ ମନେ ଖୋରଧା ଶାସକ,

ଗର୍ଜ୍ଜି କହେ ରକ୍ତମୁଖା ବଣିକ ଶୋଷକ,

‘‘ମାଣତ୍ରୀଗଡ଼ର ଛାର ନିର୍ଜୀବ କୃଷକ,

ଭେଲାଇ ମତାଏ ପୁଣି ଅରଣ୍ୟ-ଶଶକ !

 

[୯]

ଯାଅ ରେ ଫଉଜ, ବେଗେ କରି ଆଣ ବନ୍ଦୀ,

ରାଜଦ୍ରୋହ ସୂତ୍ର ଯୋଖି ଦିଅ ତାକୁ ଛନ୍ଦି,

ତୀବ୍ର କଶାଘାତେ ବୁଲାଇବ କନ୍ଦି କନ୍ଦି,

ଦଣ୍ଡକରେ, ପଣ୍ଡ ହେବ ବିଦ୍ରୋହୀର ଫନ୍ଦି ।’’

 

[୧୦]

ସଂବାଦରେ ହାହାକାରେ ଭରିଗଲା ଦେଶ,

ପଲକରେ ଉଭାଇଲା ସୁଖଶାନ୍ତି ଲେଶ,

ବିଚାରିଲେ ଜନେ ଏ କି ପ୍ରଳୟ ପ୍ରବେଶ !

ଗୁପତେଦଳବେହେରା ଶୁଣିଲେ ଆଦେଶ ।

 

[୧୧]

ଜୀବନର ମାୟା ! ଦଳ ବେହେରା କି କରେ ?

ଦେଶ ଲାଗି, ଜାତି ଲାଗି ସିନା ଛାତି ଥରେ,

ନିରୀହ ନିର୍ଜୀବ ପ୍ରଜା ଶାସନ କବଳେ,

କାହା ବଳେ ବର୍ତ୍ତିବେ ସେ ଏ ପ୍ରମାଦ କାଳେ ?

 

[୧୨]

ବଣିକ ପଣେ ମାଣିକ ଛାଣେ ଏ ଶୋଷକ,

କାନେ ଗୁଣୁ ଗୁଣୁ ଗାଇ ଦଂଶଇ ମଶକ,

ପ୍ରଜା ଉଷ୍ଣ-ରକ୍ତେ ଭରେ ଶାସକ-ଚଷକ ।

କ୍ଷୀର ଦାନେ କେ ହୋଇବ ତକ୍ଷକ ପୋଷକ?

 

[୧୩]

ଜୀବନେ ଥାଉଁ ଫିରିଙ୍ଗି ଆକର୍ଷିବ କେଶ ?

ସମରେ ମରଣେ ମୋର ନାହିଁ ଦୁଃଖ ଲେଶ,

ତହୁଁ ଦଳବେହେରାଏ ଧରି ଛଦ୍ମ ବେଶ ।

ମନସୁଖେ ବରିନେଲେ ଘୋର ବନ ଦେଶ ।

 

[୧୪]

ଭସ୍ମ ଗର୍ଭେ ବହ୍ନି ଯଥା କୁହୁଳି ଜ୍ୱଳଇ,

ଖୋରଧା ପାଇକ ହୃଦେ ବିଦ୍ରୋହ ଖେଳଇ,

ସଂକେତ-ଅରଣ୍ୟେ ନିଶି ଯୋଗେ କେ ଚଳଇ,

ତହିଁ ଦଳ-ବେହେରାଙ୍କ ନିର୍ଦ୍ଦେଶ ମିଳଇ ।

 

[୧୫]

ବିବ୍ରତ ହେଲେ ଶାସକ ମେଳି ନ ଭାଜିଲା,

ଊଣା ହେବା ଦୂରେ ଥାଉ ପ୍ରବଳେ ତେଜିଲା,

ଏ କି ହେଲା ? ଏ କି ହେଲା ? ଶବଦ ବାଜିଲା,

ଗୋପନେ ଦଳ ବେହେରା ଦଳ ତ ସାଜିଲା !

 

[୧୬]

ମାଣିନ୍ତ୍ରୀ ଗ୍ରାମେ ଅଛନ୍ତି ଫଉଜେ ତ ଘେରି,

ସଂବାଦ ଆସେ ଶାସକେ ଛନ୍ତି କର୍ଣ୍ଣ ଡେରି,

ସଂଧାନ ନ ମିଳେ ଚର କହେ ଆସି ଫେରି,

ତଥାପି ଚୌଦିଗେ ବାଜେ ବିଦ୍ରୋହର ଭେରୀ ।

 

[୧୭]

ନିରୁପାୟେ ସ୍ଥିର କଲେ ପ୍ରକାଶ୍ୟ ପ୍ରଚାର;

ନାଗରା ବଜାଇ ଗ୍ରାମେ ଗ୍ରାମେ ରଟେ ଚାର,

‘‘ଭେଟି ଦେଲେ ମୁଣ୍ଡ କାଟି ଦଳ ବେହେରାର,

ପାଞ୍ଚଶତ ମୁଦ୍ରା ହେବ ପୁରସ୍କାର ତାର ।’’

 

[୧୮]

ରୁଷିଲେ ପାଇକେ ଶୁଣି ଏସନ ବଚନ,

କେ ଅଛି ଓଡ଼ିଶା ଦେଶେ ଏଡ଼େହୀନିମାନ,

ଦଳବେହେରାଙ୍କୁ ଧରି ଦେବ କାହା ମନ ?

ଚଣ୍ଡୀ ଆଗେ ହେବ ଆଗେ ତାର ବଳି ଦାନ ।

 

[୧୯]

ଏ କାଳେ ଧୀବର ଏକ ନଉକା ବୁଡ଼ିଛି,

ଦଳ ବେହେରାଙ୍କ ଦାନ କର୍ଣ୍ଣରେ ପଡ଼ିଛି,

ମାଣିତ୍ରୀ-ଗଡ଼-ବାହିନୀ-ପଥ ସେ ହୁଡ଼ିଛି,

ବନ-ମାର୍ଗ ଧରି କିଛି ଦୂରୁଁବାହୁଡ଼ିଛି।

 

[୨୦]

ପ୍ରଶାନ୍ତ ସୌମ୍ୟ ମୂରତି କଷାୟ-ବସନ,

ସର୍ବ-ଅଙ୍ଗେ ଯୋଗ-ସିଦ୍ଧ ପୁରୁଷ ଲକ୍ଷଣ,

ବାହୁଡ଼ା ପଥେ କୈବର୍ତ୍ତ କରିଲା ଦର୍ଶନ,

ପ୍ରଣମି ଚରଣେ କରେ ଦୁଃଖ ନିବେଦନ ।

 

[୨୧]

‘‘ବୁଡ଼ିଲା ନଉକା ଖଣ୍ଡି ଅଥଳ ଜଳରେ,

ନାହିଁ କେହି ଆନ ସାହା ମୋର ଏ କାଳରେ,

ଯାଉଥିଲି ମାଣିତୀରୀ ଗ୍ରାମେ ବିକଳରେ,

ପଡ଼ିଛି ମୁଁ ପଥବଣାହୋଇ ଅକଳରେ।’’

 

[୨୨]

‘‘ମାଣିତ୍ରୀ ଦଳ ବେହେରା, ସଂସାରେ ବୋଲନ୍ତି,

ଗରିବ ଦୁଃଖୀର ଦୁଃଖ ସହି ନ ପାରନ୍ତି,

ନାଆ ଲାଗି ସାହା ହେବେ ଭିକ୍ଷା ମାଗିଥାନ୍ତି,

ଜାଣିଛ କି ? କେଉଁ ପଥେ ମାଣିତ୍ରୀ ଯାଆନ୍ତି ?’’

 

[୨୩]

‘‘ଏକେତ ଦରିଦ୍ର ଘରେ ଅନ୍ଧୁଣୀ ଘରଣୀ,

ଅରକ୍ଷ ବିଧବା କନ୍ୟା ସନ୍ତାନ-ଜନନୀ,

ମୂଲ ଲାଗି ପାଳନ୍ତି ବା, ବୟସ ଗଲାଣି,

ତିନି ଦିନ ହେଲା ତୁଣ୍ଡ, ନ ଦେଖେ ତୋରାଣି।’’

 

[୨୪]

‘‘ଭଙ୍ଗା କୁଡ଼ିଆରୁ ପାଣି ଧାର ଧାର ଝରେ,

ନଉକା ବୁଡ଼ିବା ଦିନୁ କମ୍ପେ ଚିନ୍ତାଜ୍ୱରେ,

ଆସିଛି ପଳାଇ କିଛି ନ କହି ମୁଁ ଘରେ,

ବାହୁଡ଼ି ଦେଖିବି କି ସେ ଥିବେ ଜୀବନରେ ?’’

 

[୨୫]

ଆଘାତ ଲାଗିଲା ଶୁଣି ଜୀବନ-ତନ୍ତରେ,

ଝଳି ଦିଶେ ନୀର ବିନ୍ଦୁ ନୟନ ପ୍ରାନ୍ତରେ,

ଅନ୍ତର ଭାବନା ରଖି ଗୁପତେ ଅନ୍ତରେ,

ପ୍ରବୋଧିଲେ ଜଟାଧାରୀ ମୋହନମନ୍ତରେ।

 

[୨୬]

‘‘ଆହା ! ଆହା ! ତୁମେ ଅବା ଜାଣିବ କେମନ୍ତ,

ଆଜକୁ କେଜାଣି ହେବ ଆଠ ମାସ ଅନ୍ତ,

ଦଳ ବେହେରାର ପରା ହେଲାଣି ଦେହାନ୍ତ,

ଉପାୟେ କହିବି ଧନ ପାଇବ ଯେମନ୍ତ ।

 

[୨୭]

ନ ଭାଳ ମନରେ କିଛି ଆସ ମୋ ସଙ୍ଗର,

କୁଟୁମ୍ବ ପାଳିବ ସୁଖେ ନ ହୁଅ କାତର,’’

କୃତକୃତ୍ୟେ ଚରଣରେ କରି ନମସ୍କାର,

ଚଳଇ କୈବର୍ତ୍ତ, ଲଘୁ ହେଲା ହୃଦ-ଭାର ।

 

[୨୮]

ଦଳ ବେହେରାର କାହିଁ ନାହିଁ ଚିହ୍ନ ବର୍ଣ୍ଣ,

ସଂବାଦ-ଆସେ ଶାସକ ସତତ ଉତ୍‌କର୍ଣ୍ଣ,

ପ୍ରକାଶ୍ୟେପାରିତୋଷିକହୋଇଛିଘୋଷଣ,

ଏବେହେଲେ କାହିଁ ତାର ନ ମିଳେ ସନ୍ଧାନ ।

 

[୨୯]

ମସ୍ତକରେ ଜଟାଜୁଟ ଶ୍ମଶ୍ରୁଳ ବଦନ,

ଦୀପ୍ତିମନ୍ତ ଚକ୍ଷୁ କରେ ସୁଧାବରଷଣ,

ଗୌରତନୁ ସନ୍ନ୍ୟାସୀ କେ ଦେଲେ ଦରଶନ,

ସଙ୍ଗତେ ଲୋଳିତ-ଚର୍ମ ବୃଦ୍ଧ ଦୀନ ଜନ ।

 

[୩୦]

ଶାସକେ ଭାଷିଲେ, ‘‘ଅଛି କିଛି ନିବେଦନ,

ମାଣିତ୍ରୀ ଦଳ ବେହେରା ବିଦ୍ରୋହୀ ପ୍ରଧାନ,

ତା ଶିର ପ୍ରତିବଦଳେ ଦେବ ପରା ଧନ ?

ଦରବାରୁ ହୋଇଅଛି ପ୍ରକାଶ୍ୟ ଘୋଷଣ।

 

[୩୧]

ସମ୍ମୁଖରେ ଉଭା, ତବ, ମୁହିଁ ସେ ଦୁର୍ଜନ,

ଧରି ଆଣିଅଛି ମୋତେ କୈବର୍ତ୍ତ ନିର୍ଦ୍ଧନ,

ଶିର କଲି ଦାନ, ଦିଅ ଏହା କରେ ଧନ’’

ତଟସ୍ଥ ଶାସକ ମୁଖୁଁ ନ ସ୍ଫୁରେ ବଚନ ।

 

[୩୨]

ପ୍ରଳୟର ଘୂର୍ଣ୍ଣି ଅବା ମସ୍ତକେ ଘୂରିଲା,

ଚକିତ ଶାସକ, ବୁଦ୍ଧି ବିବେକ ହାରିଲା,

ଜୀବନ୍ତ ସତ୍ୟକୁ ସ୍ୱପ୍ନବୋଲି ବିଚାରିଲା,

ସହସା ନୟନ ଆଗେ ଜ୍ୟୋତି ପ୍ରସରିଲା !

 

[୩୩]

ନିଶ୍ଚଳ ହୋଇଲା ଅଙ୍ଗ ପକ୍ଷାଘାତ ସମ,

ସମ୍ମୁଖରେ ଦେଖଇ ସେ ଭକ୍ତ, ଭଗବାନ,

ପୃଥିବୀ ସେପାରି କଥା ଶୁଣଇ ତା କାନ ।

ତ୍ୟାଗ ପୁଣି ଏତେ ? -ପର ଲାଗି ଶିରଦାନ !

 

ଦିଗ୍‌ବିଜୟ

 

ଆଜିକାଲି ନୁହେ ଅତୀତ ଗୌରବ

ସାତଶ ବରଷ ତଳେ,

ଗଙ୍ଗ କୁଳର ଅମଳ କୀରତି

ଝଟକୁ ଥିଲା ଉତ୍କଳେ ।

 

ସୁଦୂର ବିଦର କୁଳବର୍ଗ ଜେତା ।

ଅମର ପୁରୁଷ ସିଂହ,

ଚକ୍ରବର୍ତ୍ତୀ ପଣେ ଛତ୍ର ଟେକିଥିଲେ

ଲାଙ୍ଗୁଳା ନରସିଂହ ।

 

ଗୁରୁଗମ୍ଭୀରେଗଙ୍ଗ-ଗରିମା

ଘୋଷଇ ଦିଗ ଦିଗନ୍ତ,

ବନପ୍ରିୟ ବୋଲେ ବୁଲି ମନେ ଯାର

ବିଜୟ ଚିର ବସନ୍ତ ।

 

ପୁଆରୀ ପୁଆରେ ବିନ୍ଧାଣି ପୁଅଟି

କଳା ରଖୁଥିଲା ଛନ୍ଦି,

ଲେଖନୀ ମୁନରେ କାବ୍ୟ ରାଣୀକି

କବି କରୁଥିଲା ବନ୍ଦୀ ।

 

ଜୟ ଡିଣ୍ଡିମ ବଜାଇ ପାଇକେ

ନାଚୁଥିଲେ ରଚି ମେଳ,

ତୀର, ଧନୁ, ଢାଲ, ତରବାରି ପରା

ଥିଲା ବାଳକର ଖେଳ ।

 

ଯାଜ ନଗରରେ କଟକାଇ ରଚି

ଗଙ୍ଗ-କୁଳ ତିଳକ,

ନହର ଚୂଡ଼ାରେ ନେତେ ଚିତ୍ରିଥିଲେ

ସ୍ୱାଧୀନ ରାଜ-ଫଳକ ।

 

ସାମ-ଭେଦ-ଦଣ୍ଡ-ଜ୍ଞାନବନ୍ତେ

ମଣ୍ଡିଥିଲେ ରାଜସଭା,

ସଚିବ ଗୋବିନ୍ଦ, ସାମନ୍ତରାୟ ସେ

ଉତ୍କଳ ବାହିନୀ ଗଭା।

 

ଏହି ସେ ଗୋବିନ୍ଦ ଅନଙ୍ଗ ଅମଳେ

ତୁହାନ ନରେଶ ଯମ,

ବିନ୍ଧ୍ୟ ମୂଳରେ ଯବନ ବିଜୟୀ

ଇତିହାସେ ଘୋଷେ ନାମ ।

 

ପ୍ରଜା ପାତ୍ର ମନ୍ତ୍ରୀ ଘେନି ନରେଶ୍ୱର

ଦିନେ ବିଜେ ସିଂହାସନେ,

ଗଗନ ମଣ୍ଡଳ କମ୍ପି ଉଠୁଥାଏ

ବୈତାଳିକଯଶୋଗାନେ।

 

ଏକାଳେ ନୃପତି ପାଦ ବନ୍ଦେ ଆସି

ଅନନ୍ତ ନାମରେ ଚାର,

କହେ ଜଣାଇବି ଛାମୁ ଆଜ୍ଞା ହେଲେ

ଏକାନ୍ତରେ ସମାଚାର ।

 

ହସି ମହାରାଜ ଭାଷିଲେ ଚାରକୁ

‘‘ନାହିଁ କେ ଏଠାରେ ପର,

ପ୍ରଜା ତ ସନ୍ତାନ, ପର ବିଚାରିଲେ

କିଏ ଆଉ ଆପଣାର ?

 

କହିବାର ଯାହା ନ ରଖି ଗୁପତ

ସଭାରେ ବ୍ୟକତ କର,

ଶୁଣନ୍ତୁ ଦେଶର ପାତ୍ର ଅମନାତ୍ୟ

ଶୁଣନ୍ତୁ ପ୍ରଜା ସକଳ ।

 

ଏ ରାଜ ମୁକୁଟ, ଏ କୁଳ ମହତ୍ତ୍ୱ

ମୂଳେ ତାଙ୍କ ବାହୁବଳ’’

ବାଣୀ ଶୁଣି ଜୟ ଜୟ କାର ନାଦେ

ସଭାରୁ ଉଠେ ଚହଳ ।

 

ଚାର ଭଣେ, ‘‘ଛାମୁ ! ଶୁର ବୀର ପଣ

ଜଗତ ଯାକରେ ଜଣା,

ଯଶ-ଅସହଣି ଗଉଡ଼ ଦେଶର

ନବାବ ହେଲାଣି ବଣା ।

 

ଲକ୍ଷ୍ମଣାବତୀରେସଇନି ସାଜୁଛି

ଝସାଇ ପଶିବ ଗଡ଼େ,

ଉତ୍କଳ ନରେଶ କାବୁ ହେବେ ବୋଲି

ମନ୍ତ୍ରଣା ବସି ଗଢ଼େ।

 

ପଥେ କଟାସିଂହ ଦୁର୍ଗ ଆକ୍ରମଣେ

ଯବନ ବଳାଏ ମତି,

ହେଲାଣି ଆଜକୁ ଏକ ମାସ କାଳ

ଛାଡ଼ିଲିଲକ୍ଷ୍ମଣାବତୀ।’’

 

ଶୁଣି ଚାର ବାଣୀ ଉଲ୍ଲାସେ ଭାଷିଲେ

ଗୋବିନ୍ଦ ସଚିବ ମଣି,

‘‘ଅସି ଧରା ସୁଖ ବହୁ କାଳ ପରେ

ଜଗନ୍ନାଥ ଦେଲେ ଆଣି ।

 

ଚାଖିଥିଲା ଭାଲି ଥରେ ତ ତୁଘାନ

ଶୁଖି ନ ଥିବ ସେ ଘାଆ,

ଏଡ଼େ ବେଗେ ପୁଣି ପ୍ରତିଶୋଧ ଚିନ୍ତି

ଝାଡ଼ି ବସିଲାଣି ବାହା ।

 

ଦଳ ବାନ୍ଧି ମେଳ ହୁଅନ୍ତୁ ପଛକେ

କୋଟିଏଜ୍ୟୋତିରିଙ୍ଗଣ,

ବଉଦ ଉହାଡ଼େ ଥିଲେ ହେଲେ ଶଶୀ

ଲୁଚେ କି ତାର କିରଣ ?’’

 

ସମବେତ ପ୍ରଜା ପାରିଷଦ ଗଣେ

ନୃପ କରି ସମ୍ବୋଧନ,

କହିଲେ, ‘‘ସଂବାଦ ଦୂତ ଦେଲା ଯାହା

କରିଲ ତ ଅବଧାନ ।

 

ତୁର୍କୀ ସହଜେ ଅତି କ୍ରୂରମତି

ପ୍ରତିହିଂସା ଚିନ୍ତେ ମନ,

ଯାଜପୁର ଦୁର୍ଗ ଚଢ଼ାଉ କରିବ

ହୁଅ ସର୍ବେ ସାବଧାନ ।

 

ସ୍ୱାଧୀନ ଦେଶର ଗରବ ବିଭବ

ରଖିବା, ମରିବା ଅବା,

ପଣ ଏକା ସିନା ପଉରୁଷ ପଣ

କି ମନ୍ତ୍ରଣା ଦିଏ ସଭା ?’’

 

ଜୟ ମା କଳିଙ୍ଗ, ଜୟ ନରସିଂହ

କୁହାଟେ କମ୍ପିଲା ଧରା,

ରଣଭେରୀ ନାଦ ପ୍ରତିଧ୍ୱନି ଦେଲା

ବନ ପରବତ ସାରା ।

 

-ଦୁଇ-

 

କଳିଙ୍ଗ ସୀମାର ଉତ୍ତର ପ୍ରାନ୍ତରେ

ଉଭା କଟାସିଂହ ଦୁର୍ଗ,

ମହାନଦୀ ଯହିଁ ଅର୍ଦ୍ଧଚନ୍ଦ୍ରାକାରେ

ସାଗରେ ଅରପେ ଅର୍ଘ୍ୟ ।

 

ତୁଙ୍ଗ ପଣେ ଗଡ଼ ଶୃଙ୍ଗ ତ ଉତ୍ତୁଙ୍ଗ-

ଶିଖରୀଙ୍କୁ ଜିଣି ଦିଶେ,

ଘେରି ଚଉପାଶେ ଗଭୀର ପରିଖା

ଜାଗ୍ରତ ପ୍ରହରୀ କି ସେ ?

 

ଯକ୍ଷ ନୃପତିର ମାୟା ପୁରୀ ଶିରୀ

ଜନ ମନେ ଜନମାଏ,

ଗହଳ କାନନ ଶ୍ୟାମ ଲତା ବେଣୀ

କଟି ସରି ଘେରିଥାଏ ।

 

ଅଭିରାମ ନାମେ କଳିଙ୍ଗ କିଶୋର

ସେ ଦୁର୍ଗର ଅଧୀଶ୍ୱର,

ବଳବୀର୍ଯ୍ୟେ ବଳୀ, ଅତିପ୍ରିୟ ତେଣୁ

ରାଜ-ସେନାପତିଙ୍କର ।

 

ସଇନି ଚାଳନେ ଶୃଙ୍ଖଳା ରକ୍ଷଣେ

କୂଟ ନୀତି ବିଚକ୍ଷଣ,

ଯୁବା ଅଭିରାମ ଧୁରନ୍ଧର ଅତି

ରାଜଭକ୍ତି ପରାୟଣ ।

 

ଅରି ଆକ୍ରମଣ ଅଶୁଭ ମୁହୁର୍ତ୍ତ

ଜଗି ସଦା ତତପର,

ସଂବାଦ ବହନେ ଜଳବକ୍ଷେ ତରୀ

ଥିଲେ ଗୁପ୍ତ ବନଚର ।

 

ନିଶା ଅନ୍ତେ ଦିନେ ଗୁପ୍ତଚର କହେ-

‘‘ମହାନଦୀ ପର ପାରେ,

ତୁର୍କୀ ଛାଉଣୀ ପରି ଦିଶେ ଦୂରୁ

ବହୁ ହସ୍ତୀ ଅଶ୍ୱ ଚରେ’’

 

ଦଇବେ ସେଦିନ ରାଜ ଦରବାରୁ

ସାବଧାନି ଲେଖ ପାଇ,

ବୀର ଅଭିରାମ ଦୁର୍ଗ ରକ୍ଷୀ ସେନା

ସଜାଇ ରହିଲେ ଚାହିଁ ।

 

ଅମା ନିଶୀଥରେ ଶତ ତରୀ ବାହି

ହୋଇମହାଦନୀ ପାର,

ଯବନ ବାହିନୀ ଦୁର୍ଗ ସନ୍ନିକଟ

ଅରଣ୍ୟେ କଲେ ବିଚାର ।

 

‘‘ଏକ ପରେ ଏକ ଗଭୀର ପରିଖା

ଲଙ୍ଘି ଯାଅ ଦୁର୍ଗ ଘେରି,

ଅଜାଣତେ କରି ଦୁର୍ଗ ଆକ୍ରମଣ

ବଜାଅ ବିଜୟ ଭେରୀ’’

 

ରଣ ଗୁରୁ ଶିଙ୍ଘା ବାଜି ଜଣାଇଲା

ଦୁର୍ଗ ରକ୍ଷୀଏ ଜାଗ୍ରତ,

ତୁର୍କୀ ସେନାପତି ଆଦେଶେ ସେନାଏଁ

ଗଡ଼ଦ୍ୱାରେ ଉପଗତ ।

 

ରଣ ଉନ୍ମାଦନା ଜଗାଇଲେ ଜଗି

ପୁରୋଭାଗେ ଅଭିରାମ,

ନାଚିଲା ବରଛା, ଉଲଙ୍ଗ କୃପାଣ

ତ୍ରି ଦିବସ ଅବିରାମ ।

 

ଗଡ଼ ଛାଡ଼ି ଗଲେ ପରାଜୟ ମାନି

ତିନି ଦିନେ ଅଭିରାମ,

ଦୀନ୍ଦୀନ୍ ରବେ କମ୍ପିଲା ଗଗନ

ଯବନ ସଫଳ କାମ ।

 

ଉଲ୍ଲାସେ ତୋଘାନଅର୍ଦ୍ଧଚନ୍ଦ୍ରଧ୍ୱଜା

ବାନ୍ଧି ଦେଲେ ଦୁର୍ଗ ଶିରେ,

ଆଦେଶିଲେ ଲୁଟ ଇଚ୍ଛାମତେ ଗଡ଼

ଏଥର ତୁର୍‌କୀ ବୀରେ ।

 

ନାହିଁ ଘରଦ୍ୱାର ନାହିଁ ତରୁଲତା

ନାହିଁ ଖାଦ୍ୟ କଣିକାଏ,

ଦେଖିଲା ଯବନ ଭସ୍ମୀଭୂତ ଦୁର୍ଗ

ଉପହାସେ ସତେ ଚାହେଁ ।

 

ମରିଗଲା ମନ, ଯବନ ବାହିନୀ

ଶୂନ୍ୟ ଦୁର୍ଗ ତେଜି ଖରେ,

ନିମ୍ନେ ଅବତରି ପାତିଲେ ଛାଉଣୀ

ମହାନଦୀ ବାଲି ପରେ ।

 

ଦିନ ଦୁଇଚାରିବିଶ୍ରାମିସେନାଏଁ

ଆକ୍ରମିବେ ଯାଜପୁର,

ଜିଣିବେ ଉତ୍କଳ ଭାଗ୍ୟ ସୁପ୍ରସନ୍ନ

ପଥ ଶତ୍ରୁ ହେଲା ଦୂର ।

 

ଯବନ ବାହିନୀ ସଂଖ୍ୟାରେ ଅଧିକ

ଦେଖି ବୀର ଅଭିରାମ,

ସାର୍ଦ୍ଧ ଦୁଇଶତ ସେନା ମାତ୍ର ଘେନି

ତେଜି ଥିଲେ ଗିରି ଧାମ ।

 

କଟକ ଜଳାଇ ଗୁପତ ସୁଡ଼ଙ୍ଗ

ପଥେ ଯାଇ ଗିରି ତଳେ,

ଲକ୍ଷ୍ୟ କରୁଥିଲେ ଯବନ ସେନାର

ଜୟୋଲ୍ଲାସକୁତୁହଳେ।

 

ପ୍ରମୋଦ ମଗନ ତୁଘାନ ସେନାନୀ

ନାହିଁ ଲବେ ଭୟ ଆଉ,

ଦେଖି ସଜ ହେଲେ ବୀର ଅଭିରାମ

ସାଧିବାକୁ ଏବେ ଦାଉ ।

 

ନିଶି ଅନ୍ଧକାରେ ବେତସ ବନରୁ

ଘୋରକାଳାନ୍ତକ ସମ,

କଲେ ଆକ୍ରମଣ ଘେରି ଚଉପାଶ

କାହିଁ କେ ରକ୍ଷଣେ କ୍ଷମ ?

 

ଲୁଟି ଗଜଅଶ୍ୱ ରୁଣ୍ଡ କଲେ ମୁଣ୍ଡ

ଯା’ ଆଗେ ପଡ଼ିଲା ଯେହୁ,

ତର ନ ସହିଲା ଯବନ ବାହିନୀ

ଛତ୍ରଭଙ୍ଗ ଦେଉ ଦେଉ।

 

ତୁଘାନ ମନରେ ଭାବି ଥିଲା ସିନା

ଦୁର୍ଗରକ୍ଷୀ ଛାରଖାର,

ପଥବାଧା ଗଲା ଯାଜପୁର ଯାଏ

ନିଧୋକ ହେଲା ଏଥର ।

 

ପଳାଉ ପଳାଉତୋଗ୍ରଲ କହଇ

ଦୂର ତ ଯାଜ ନଗର,

କେଡ଼େ ବେଗେ କାହୁଁ ସେନାଏଁଅଇଲେ

ନରସିଂହ ଯାଦୁକର ।

 

‘‘ଆଶ୍ୱିନର ଶେଷ ଶନିବାର ଦିନ

ତୁର୍କୀ କଲେ ଆକ୍ରମଣ,

ହାଣ ଖାଇ ଗଲେ’’ ବୋଲି ଅଭିରାମ

ଲେଖରେ କଲେ ଜଣାଣ ।

 

ରାଜ ଦରବାରେ ଚହଳ ପଡ଼ିଲା

ଉତ୍ସବେ ଭାସିଲା ପୁରୀ,

ବୀର ଅଭିରାମ ଯଶ ଅବିରାମ

ଭରିଲା ମୁଖେ ସବୁରି ।

 

-ତିନି-

 

ହାରି ସେ ତୋଘାନ            ଦିଲ୍ଲୀ ଦରବାରେ

କାନ୍ଦି ଲେଖେ ଜାହାଁପନା,

ତୁମ୍ଭ ପରା ପ୍ରଭୁ            ଥାଉଁ ସରିଗଲି

ଲବେ ଏ ନଫରେଅନାଁ।

 

ଉତ୍କଳ ନରେଶ            ଯାଜପୁରେ ଥାଏ

ନରସିଂହ ତାର ନାମ,

ହରାଇଲେ ମୋତେ            ସଇନୀ ସାଜୁଛି

ଦିଲ୍ଲୀ ଆକ୍ରମଣ କାମ ।

 

ବହୁ ଭେଟ ନେଇ            ତୁଘାନ ପକ୍ଷରୁ

ମନ୍ତ୍ରୀ କାଜୀ ଦୁଇ ଜଣ-

ଦିଲ୍ଲୀରେ କହିଲେ            ‘‘ସାହାଯ୍ୟ ନ ଦେଲେ

ଶେଷ ଆମ ରାଜ ପଣ ।

 

ଯାଜପୁର ଗଡ଼            ଚଢ଼ାଉ କରିବା

ବାହିନୀ ହୋଇଲେ ରୁଣ୍ଡ,

ପଦତଳେ ଆଣି            ଅରପିବୁଁ ନିଶ୍ଚେ

ନରସିଂହ କଟାମୁଣ୍ଡ।

 

ଦିଲ୍ଲୀ ବାଦସାହ            ସେ କାଳରେ ଥିଲେ

ସମ୍ରାଟ ଆଲ୍ଲାଉଦ୍ଦିନ,

ପ୍ରଧାନ ଉଜୀର            ଦେଲେ ପରାମର୍ଶ

‘‘ଉଚିତ ସାହାଯ୍ୟ ଦାନ ।’’

 

ଚରମୁଖୁଁ ପୁଣି            ସଂବାଦ ପାଇଲେ

ଉତ୍କଳର ନରରାଣ,

ବାଦସାହୀ ସେନା            ତୁଘାନ ସହିତେ

ସ୍ଥିର କଲେ ଆକ୍ରମଣ ।

 

ପରାମର୍ଶ ଦେଲେ            ସଚିବ ଗୋବିନ୍ଦ

ଦିଲ୍ଲୀ ସେନା ଆସୁ ଆସୁ,

ଆମ ସେନାଦଳ            ବେଗେ ଯାଇ ଆଗେ

ତୁଘାନଗଡ଼ରେ ଝାସୁ ।

 

କଥାମତେ କାର୍ଯ୍ୟ,            ବୀର ନରସିଂହ

ବାହିନୀ ଚଳାଇ ଗଲେ,

ଉତ୍କଳ ରମଣୀ            ମାଳା ଦୀପ ଘେନି

ବନ୍ଦାଇଲେ ଦଳେ ଦଳେ।

 

ମଙ୍ଗଳା ଚରଣେ            ଲାଜା ଦୁଗ୍‌ଧ ଯାଚି

ରାଜ-ଶୁଭ ମନାସିଲେ,

ବାଜି ବାଙ୍କତୁରୀ            ବଡ଼-କଠ ଭେରୀ

ପାଇକାଣ ପଲାଶିଲେ ।

 

ବାଦସାହୀ ଚମୂ            ଲକ୍ଷ୍ମଣାବତୀରେ

ପରବେଶ ହେବା ଆଗେ,

ଉତ୍କଳ ଭେରୀ            ସଘନେ ବାଜିଲା

ଦୁର୍ଗର ଚଉଭାଗେ।

 

ପ୍ରମାଦ ଗଣିଲେ            ନବାବ ତୁଘାନ

ମନ୍ତ୍ରୀ ତ ପାଶେ ନାହିଁ;

ବାଦସାହ ଦେବେ            ସାହାଯ୍ୟ, ଶୁଣିଛି,

ସେ ଅବା ଆସିଲେ କାହିଁ ?

 

ଥରେ ନୁହେଁ, ଦୁଇ            ଦୁଇ ଥର ଲଢ଼ି

ଚାଖିଛି ଓଡ଼ିଶୀମାଡ଼,

ସାଗର ପ୍ରମାଣ            ଆସିଛନ୍ତି ମାଡ଼ି

ମାନିବେ ବି ଗଡ଼ ବାଡ଼?

 

ଜାଣିଛି ନବାବ            ଉତ୍କଳୀ ପାଇକେ

ଲଢ଼ିବେ ମରିବା ଯାଏ,

ପଛଘୁଞ୍ଚା ତାଙ୍କ            ଜନମ ଜାତକେ

ବିହିତ ଲିହି ନ ଥାଏ ।

 

ଜାଣିଛି ସେ, ରକ୍ଷା            ନାହିଁ ଆଉ ତାର

ବିଜେ ନିଜେ ନରସିଂହ,

ଶୃଙ୍ଗ ଅଛି ବୋଲି            କୁରଙ୍ଗରେ ଦେଖି

ଡରିଯିବ କାହିଁ ସିଂହ ?

 

ବଛା ବଛା କେତେ            ତୁରକୀ ସଇନି

ଘେନି ଲଢ଼େ ପରଚଣ୍ଡ,

ଉନ୍ମଦ ପାଇକେ            ରେ ରେକାର କରି

କଲେ ଅତି ଲଣ୍ଡଭଣ୍ଡ ।

 

ବାହିନୀ ସମ୍ମୁଖେ            ବୀର ନରସିଂହ

କରୀ-ପୃଷ୍ଠେ ଅସି ଧରି,

କହନ୍ତି ‘‘ସେନାଏଁ,            କି ଶୁଣୁଛ ଆଉ ?

ଗରଜି ଆସଇ ଅରି ।

 

ଅଗ୍ନି-ପରୀକ୍ଷାରେ            ଚିହ୍ନ ପଡ଼ି ସିନା

ପିତଳ ସୁନାର ଭାଉ,

ବୀର ଜାତି ବୋଲି            ଯଶ ରଖ, ଝାସ

ଥାଉ ଅବା ଜୀବ ଯାଉ ।

 

ଅରି ମରଦନେ            ବୀର ମରି ଦିନେ

ଜୀଇବେଜୀଇଲା ପରି,

ଧିକ ସେ ଶତାୟୁ-            ଭୀରୁ, ଜୀଇଥାଉ

ନିତି ଗତାୟୁଷ ସରି ।

 

ସ୍ୱାଧୀନ ଉତ୍କଳ            ଗୌରବ କେତନ

ହେବ ଯେବେ ସତେ ନତ,

ଶୃଙ୍ଖଳ-ଆବଦ୍ଧ            ଶ୍ୱାପଦ ସମାନ

ମଣିବ କି କୃତକୃତ୍ୟ ?

 

ଶତ୍ରୁ ଶିଙ୍ଘା ରବେ            ଦିଅ ପ୍ରତିଧ୍ୱନି

ଗଡ଼ରେ ପଶ ଝସାଇ,

ଜୟ ବିରଜାଈ            ଜୟ ଜଗନ୍ନାଥ

ସାହା ସେ ଉତ୍କଳ-ସାଇଁ ।

 

ଅବନତ କର            ଯବନ କେତନ;

ଅର୍ଦ୍ଧଚନ୍ଦ୍ର ବକ୍ଷେ ଧରେ,

ସାମ୍ୟ, ମୈତ୍ରୀ            ଜଗନ୍ନାଥ ବାନା

ଉଡ଼ାଅ ବାୟୁ ଲହରେ ।

 

ଗରଜି ଉଠିଲା            ବିରାଟ ବାହିନୀ

କମ୍ପେ ‘ବିରଜାଈ’ ନାଦ,

ଟଳମଳ ହେଲା            ଦୁର୍ଗ ପ୍ରାଚୀର

ଯବନ ଗଣେ ପ୍ରମାଦ ।

 

ମରଣ-କାମୁଡ଼ା            ଦିଏ ହିଂସ୍ର ଜୀବ

ଯନ୍ତାରେ ବାଜିଲେ ଭାଲି,

ରୁନ୍ଧି ହୋଇ ଦୁର୍ଗେ            ତୁଘାନ ତେସନ

ଗର୍ଜ୍ଜନଛାଡ଼େ ଖାଲି ।

 

ଦିନେ ସଂଧ୍ୟାର            ସ୍ତିମିତ ଆଲୋକେ

ଘୋଡ଼ାରେଚଢ଼ିତୁଘାନ,

ସ୍ୱଳ୍ପ ସୈନିକ            ଘେନି ଝାମ୍ପ ଦେଲା

ବଞ୍ଚାଇବା ପାଇଁ ମାନ ।

 

ବିପୁଳ ଉତ୍କଳ-            ବାହିନୀ ମଧ୍ୟରେ

ବୀର ଦର୍ପରେ ଲଢ଼ି,

ଅନ୍ଧାରେ କାହିଁ            ଗଡ଼ ଛାଡ଼ିଗଲା

ପଳାଇ ଅଶ୍ୱ ଚଢ଼ି।

 

ଅର୍ଗଳ ହୀନ-            ଗଡ଼ରେ ପଶିଲେ

ଉତ୍କଳ ବୀର ସେନା,

ଲକ୍ଷ୍ମଣାବତୀ-            ରାଜଲକ୍ଷ୍ମୀର

ଆରତି କଲେ ସେ ଘେନା ।

 

ପ୍ରାସାଦ ଚୂଡ଼ାରେ            ଗରବେଉଡ଼ିଲା

ଗଙ୍ଗ ବିଜୟ ଧ୍ୱଜା,

ଜୟ ନରସିଂହ            ଗୌଡ଼ ବିଜୟୀ

ଚଉଦିଗେ ବାଜେ ବାଜା ।

 

ବାହୁଡ଼ିଲେ ବୁକୁ            ଫୁଲାଇ ପାଇକେ

ଅରି ମୁଖେ ବୋଳି କାଳି,

ହୁଳହୁଳି ଦେଇ            କୁସୁମ ଚନ୍ଦନେ

ବନ୍ଧାଇଲେ ପୁର ବାଳୀ ।

 

‘ଜୟ ଜକନ୍ନାଥ !’            ‘ଜୟ ବିରଜାଈ !’

ଶବଦେ କମ୍ପିଲା ଧରା,

ବନ୍ଦୀ ଗାଇଲା            ‘ଜୟ ନରସିଂହ’-

ଉତ୍କଳ ଶିର-ଝରା ।

 

ଅତି ବଡ଼

 

ଶ୍ରୀମନ୍ଦିରେ, ସଂଧ୍ୟାକାଳେ, ବୃଦ୍ଧ ବଟ ତଳେ,

ପ୍ରବେଶ ହେଲେଣି ଏବେ ଶ୍ରୋତା ଦଳେ ଦଳେ।

ବରଷେ ଶ୍ରାବଣ ଘନ, ବିଜୁଳୀ ଚମକ,

ତହିଁ ପୁଣି ରହି ରହି ବଜ୍ରର ଧମକ ।

 

ବାରି ଧାର ନୁହେ କ୍ଷାନ୍ତ, ଝରେ ଅବିରାମ,

ତପସ୍ୱୀଏ ଯଥା, ହେବା ଯାଏ ପୂର୍ଣ୍ଣ-କାମ-

ନିରବଧି ନ ତେଜନ୍ତି ମନ୍ତ୍ର ଉଚ୍ଚାରଣ;

ସେହି ମତି, ନାହିଁ ଶ୍ରାନ୍ତି, ନାହିଁ ତା ବିଶ୍ରାମ ।

 

ଘନ ଘଟ୍ଟାଚ୍ଛନ୍ନ ମେଘ, ନାହିଁ ଚନ୍ଦ୍ର ରେଖା,

ପଙ୍କିଳ ଜୀବନେ କାହିଁ ପୁଣ୍ୟ ତେଜ ଦେଖା ?

ଖଦ୍ୟୋତ ଉଦ୍ୟତ ଗିରି-ଶିରିଆରୋହଣେ,

ପାଶୋରାଇ ଦେବେ ଅବା ଶଶାଙ୍କ କିରଣେ !

 

ଧନ୍ୟ ସେ ସାହସ ! ଧନ୍ୟ ବୋଲିବା ଏ ଲକ୍ଷ୍ୟ !

ଲକ୍ଷ ହେଲେ ରୁଣ୍ଡ, ସେ କି ଶଶୀ ସମକକ୍ଷ ?

କ୍ଷୀଣ ଗ୍ରାମ ପଥ- ଜଳପୂର୍ଣ୍ଣ ଠାବେ ଠାବେ,

ଧୈବତ ସାଧଇ ବୃଦ୍ଧ-ଭେକ ଅନୁରାଗେ ।

 

ନୀରବ ଏ ପଥ, ମୌନୀ ଶ୍ମଶାନ ଯେପରି,

ମୌନେ ମନ୍ତ୍ର ସାଧେ ଯୁଗ ଯୁଗାନ୍ତର ଧରି ।

ନ ମାନି ଦୁର୍ଦ୍ଦିନ ମେଘ, ନିଶି, ବର୍ଷା ଝଡ଼ି,

ଅକାଳେ ଅଶୀତ-ବୃଦ୍ଧା ଯାଉଛନ୍ତି ଚଳି ।

 

‘‘ଜଗନ୍ନାଥ ଜଗନ୍ନାଥ, ପତିତ ପାବନ,’’

ନାମ ଉଚ୍ଚାରଣ ଭିନ୍ନ ନାହିଁ ପଥେ ଧ୍ୟାନ ।

ଶ୍ରୀ ପୁରୁଷୋତ୍ତମେ ପାଦ ଯନ୍ତ୍ର ଭଳି ଚାଳେ,

ଶୁଭ୍ର କେଶ ଧୋଇ ଧାର ଧାର ବାରି ଝରେ ।

 

ମଧ୍ୟେ ମଧ୍ୟେ କଟୁ-କଣ୍ଠ କାଳ-ପେଚକର,

ତନ୍ଦ୍ରାଭଙ୍ଗ କରୁଥାଇ ନିକଟ ବନର ।

ଅଖଣ୍ଡ ସ୍ୱର ସାଧଇ ଝିଂକାରୀଝଂକାରି,

ଅହିତୁଣ୍ଡୁ ଭେକ, ଦୁଃଖ ଜଣାଏଁ ହକାରି ।

 

‘ହୁକ୍‌କା ହୁଆ ହୁଆ’ ଡାକି ଶିଆଳ ଧାଇଁଛି,

ଦୂରେ କାହିଁ ଭୋଜନର ସଂଧାନ ପାଇଛି ।

ଧ୍ୟାନ ନାହିଁ ଆନେ, ଦିଶେ, ଅସରନ୍ତି ପଥ,

ଦର୍ଶନ କରିବେ କେବେ ପ୍ରଭୁ ଜଗନ୍ନାଥ

 

ବସିତ ଯିବେଣି ଆସି ଭାଗବତ ପାଠେ-

ପୁରାଣ ପଣ୍ଡାଏ, ଛି, ଛି, ପହୁଞ୍ଚିବି ମଠେ ।

ଭାଳୁଛନ୍ତି ବୃଦ୍ଧା, ଆସେ ମନେ ବଡ଼ଗ୍ଲାନି-

ଏ କି କଲ ଜଗନ୍ନାଥ ? ଧର୍ମେ ହେଲା ହାନି ।

 

ଲକ୍ଷ ନାହିଁ ଚତୁର୍ଦ୍ଦିଗେ ଘଟେ କି ଘଟଣା,

ଚାଲିଛନ୍ତି ବୃଦ୍ଧା ପୁରୁଷୋତ୍ତମ ପାଟଣା ।

ପ୍ରବେଶି ଦେଖିଲେ ଯାଇ ବଟ ବୃକ୍ଷତଳେ-

ସ୍ତିମିତ ପ୍ରଦୀପ ଏକ ମିଞ୍ଜିମିଞ୍ଜି ଜଳେ ।

 

ପୁରାଣ-ପଣ୍ଡାଏ ଆଜି ଗମ୍ଭୀର ବଦନ,

ଆରମ୍ଭ ତ ହୋଇ ନାହିଁ ପୁରାଣ ପଠନ,

‘‘ନ ଆଣିଛି ଦକ୍ଷିଣା ଯେ ଫେରିଯାଅ ଘରେ,

ଭାଗବତ ଶୁଣାଇବି ବସି ମାଗଣାରେ ?

 

ସଂସ୍କୃତକୁ ବୁଝାଇବି ପରାକୃତେ ମୁହିଁ,

କହି କହିଅଷ୍ଟଶିରହୋଇଯାଏଦୁହିଁ,

ଦକ୍ଷିଣା କଥା ଯାହାର ମନେ ପଡ଼ୁ ନାହିଁ,

ବାହାରି ଯାଆନ୍ତୁ ଥିଲେ ଅଦିଆ କେ କାହିଁ ।’’

 

ବିନୋୟି କହିଲେ ବୃଦ୍ଧା ପଣ୍ଡିତେ ଏସନ,

‘‘ପୁତ୍ରକୁ କହି ମୁଁ କାଲି ଆଣି ଦେବି ଧନ ।

ବହୁଦୂରୂଁ ଆସିଛି ମୁଁ ନ କହ ଏମନ୍ତ-

ସମୟ ମାଗୁଛି ଖାଲି କାଲି ପରିଯନ୍ତ।’’

 

‘‘ଉତ୍ତମ ! ଦକ୍ଷିଣା ମୋର ଆଣି ଦେଲେ କାଲି,

ପୁରାଣ ଶୁଣିବ ଆସି, ଆଜି ଯାଅ ଚାଲି ।

ମାଗିବା ଯାଏ ତ ଗଲା ମୁଖେ ନାହିଁ ଲଜ୍ଜା’’

କହିଲେ ପଣ୍ଡିତେ- ‘‘ନୁହେଁ ମୁଁ ତ ତୁମ୍ଭ ପ୍ରଜା ।

 

କଥା ମାନି ଯେବେ ତୁମ୍ଭେ ସଭାରୁ ନ ଯିବ,

ଆଜି ଏ ପୁରାଣ-ପୋଥିଡୋର ନ ଫିଟିବ ।’’

ଶ୍ରୋତାକୋଳାହଳେ ସଭା ପଡ଼ିଲା ତ ଭାଜି,

ମସ୍ତକେ ଛିଣ୍ଡିଲା ଅବା ଶତବଜ୍ର ଆଜି-

 

ବାହୁଡ଼ିଲେ ବୃଦ୍ଧା, ଝରେ ଶୋକ ଅଶ୍ରୁ ଧାରା,

ଗର୍ବରେ ପୁରାଣ ପଣ୍ଡା ନ କଲେ ପଶରା।

ଖଣ୍ଡେ ଦୂରୂ ଦେଖୁଥିଲେ ଦାସ ଦିବାକର,

ଝିଙ୍ଗାସ ବଚନେ ଭାଙ୍ଗି ପଡ଼ଇ ଅନ୍ତର ।

 

ସେ ଯେ ଜଗନ୍ନାଥ ସଖା, ଶିଷ୍ୟ, ଅନୁଚର,

ଫାଟିଯାଏ ଛାତି ଦେଖି ପଣ୍ଡିତ-ଆଚାର ।

ବୃଦ୍ଧା ପଛେ ପଛେ ଗଲେ ପଥ ଅନୁସରି,

ଶୁଣୁଥିଲା ତାଙ୍କ କାନ ‘‘ଏ କି କଲ ହରି’’ ?

 

ପୁଣି ସେହି ପଥ- ସେହି ବିଜୁଳୀ ନର୍ତ୍ତନ,

ସେହି ଭେକ ଡାକ- ସେହି ଝିଂକାରୀରସ୍ୱନ

ଘନ ଘୋର ଅନ୍ଧକାର, ବଜ୍ର ଗରଜନ,

ନୀରବେ ସେପଥେ, ଚାଲିଛନ୍ତି ବେନିଜନ।

 

ନ ଜାଣନ୍ତି ବୃଦ୍ଧା, ତାଙ୍କ ପଛେ ଦିବାକର,-

ଆସନ୍ତି ନ ମାନି ଘୋରଝଡ଼, ବର୍ଷା ଜଳ ।

କପାଟେ ମାରିଲେ କର, ଡାକି ଜଗନ୍ନାଥ ।

ଆସି ପ୍ରଶ୍ନ କଲେ ସୁତ, ‘‘ଏ କି ହେଲା ମାତ !

 

ଏଡ଼େ ବେଗେ ମନ୍ଦିରରୁ ବାହୁଡ଼ି ଆସିଲ,

ପୁରାଣ ସଭାରେ ଆଜି କିପାଁ ନ ବସିଲ ?’’

ପ୍ରତ୍ୟୁତ୍ତର ନାହିଁ, ମାତା ଚଳିଗଲେ ଧୀରେ,

ଚିନ୍ତା-କୀଟ ଆକ୍ରମିଲା ଜଗନ୍ନାଥ ଶିରେ,-

 

କି ହେଲା, କାହିଁକି ମାତା ଗମ୍ଭୀର ଏସନ,

ଦିବାକର ଦାସେ ତହୁଁ କହିଲେ ବଚନ ।

‘‘ଜାଣି ସେ ନାହାନ୍ତି ମୁହିଁ ପଛରେ ଆସିଛି,

ପୁରାଣ ପୀଠର ଚର୍ଚ୍ଚା ସବୁ ମୁଁ ଶୁଣିଛି, ।’’

 

‘‘ତୁମ୍ଭେ ଦିବାକର, ସତେ ଆସିଛ ଅନ୍ଧାରେ,

ଧୈର୍ଯ୍ୟ ମୋ ନ ରହେ, କହ କି ହେଲା ସେଠାରେ ।’’

ଜଗନ୍ନାଥ ପଚାରିଲେ ଧରି ତାଙ୍କ କର,

କହେ ଦିବାକର, ‘‘ଧିକ ! ଜନମ ତୁମ୍ଭର;

 

ଜାଣିଛ ତ ସଂସ୍କୃତରେ ଲେଖା ଶାସ୍ତ୍ରମାନ,

କିପରି ବୁଝିବେ ନାରୀ, ଅପଣ୍ଡିତ ଜନ ?
ତେଣୁ ସିନା ଘୋର ବର୍ଷା, ବିଜୁଳୀ ନ ମାନି,

ମନ୍ଦିରେ ପୁରାଣ ପୀଠେ ଯାଆନ୍ତି ଜନନୀ ?

 

ମାଗିଲେ ଦକ୍ଷିଣା ତାଙ୍କୁ, ନାହିଁ ତ କଉଡ଼ି,

ପୁରାଣ ପଣ୍ଡାଏ ଦେଇ ଅଛନ୍ତି ଘଉଡ଼ି।

ଅପମାନେ ଫେରିଛନ୍ତି ନୁଅଇଁ ସେ ମଥା,

କର ଅନୁମାନ ଲାଟିଥିବକେଡ଼େ ବ୍ୟଥା ।

 

ପଣ୍ଡିତ ପଣରେ ତୁମ୍ଭ ସରି କେହି ନାହିଁ,

ଦେଖୁଥିବ ଏ ଅନୀତି ଜଳ ଜଳ ଚାହିଁ ?

ରକ୍ତ ଯେବେ ଅଛି ଦେହେ, ଅଛି କୁଳମାନ,

ପ୍ରତିଶୋଧ ନେବ ତୁମ୍ଭେ ମନ କର ଟାଣ ।

 

ଲେଖ ବସି ଭାଗବତ ଉତ୍କଳ ଭାଷାରେ,

ନ ବୁଝି କେ ନ ଫେରିବେ ଆଉ ନିରାଶାରେ ।’’

‘‘ଅସମ୍ଭବ କହିଲ ତ ତୁମ୍ଭେ ଦିବାକର,

ତେଡ଼େବଡ଼ ଶକ୍ତ କାହୁଁ ଆସିବ ମୋହର?

 

ଦେବ-ଭାଷା ଭାଗବତ ମହାପୁଣ୍ୟ ଗ୍ରନ୍ଥ,

ପୟାର ରଚିବା ପାଇଁ ମୁଁ କି ସମରଥ ?’’

ଜଗନ୍ନାଥ ସୁମରିଲେ ‘ଜଗନ୍ନାଥ’ ନାମ-

ଭାଷେ ଦିବାକର ‘‘ନିଶ୍ଚେ ହେବ ପୂର୍ଣ୍ଣକାମ ।

 

ଆରମ୍ଭିବ ଆଜି ତୁମ୍ଭେ ଗ୍ରନ୍ଥର ଲିଖନ,

ଆଶୀର୍ବାଦ ହେବ ଦାସେ ! ‘ମାତୃ-ଅପମାନ ।’

ଗୋବିନ୍ଧ ପୟରେ ଧ୍ୟାନ ଦେଲେ ଜଗନ୍ନାଥ,

ଦୃଶ୍ୟ ହେଲା ପଦ, ଲେଖିଲେ ସେ ଭାଗବତ ।

 

ଗ୍ରାମେ ଗ୍ରାମେ ଠାବେ ଠାବେ ଭାଗବତ ଖ୍ୟାତି,

ଶ୍ରବଣେ, ପଠନେ ନିତ୍ୟ ରତ ନାନା ଜାତି ।

ବର୍ଣ୍ଣ-ବିଚାରର ତହିଁ ଠାବ ନାହିଁ ଲବେ,

ଚୂର୍ଣ୍ଣ କରି ଦେଲା ଏବେ ପଣ୍ଡିତ ଗରବେ।

 

ପୂର୍ଣ୍ଣ ହେଲା ତହୁଁ ଦିବାକର ମନୋରଥ

ଅହଂମନ୍ୟ ପଣ୍ଡିତଙ୍କ ମଥା ହେଲା ନତ ।

କୁପିଲେ ପଣ୍ଡିତେ ଦେଖି ଦାସଙ୍କ ପ୍ରସାର,

କାହିଁ ଥିଲା ‘ଭଗବାନ’ ବଂଶେ କୁଳାଙ୍ଗାର ?

 

ପୁରାଣ-ପ୍ରସିଦ୍ଧ ପୁଣ୍ୟ ଗ୍ରନ୍ଥ ଭାଗବତ,

ଶୁଦ୍ରେ ତା’ ପଢ଼ିବେ? ଗଲା ଶାସ୍ତ୍ରର ମହତ୍ତ୍ୱ ।

ପରାକୃତେ ପଦ ରଚି ଜଗନ୍ନାଥ ଦାସ,

ବୋଲାଇବ ପରା ଅଭିନବ ବେଦ ବ୍ୟାସ ?’’

 

ଈର୍ଷାରେ ପ୍ରଜ୍ୱଳି ଉଠେ ପଣ୍ଡିତଙ୍କ ଗାତ୍ର;

ଛିଦ୍ର ଅନ୍ୱେଷଣେ ରତ ଦିବା କିବା ରାତ୍ର ।

ସରଳ ଶବ୍ଦ-ସଂହତି, ଶୈଳୀ ମନୋହର,

ଭାଗବତ ପଦ ସର୍ବେ କଲେ କଣ୍ଠହାର।

 

କଥାଛଳେ କେ ବା କହିଦିଏ ପଦ ମାନ,

ମୁଖେ ମୁଖେ ଶୁଭେ ଜଗନ୍ନାଥ ଗୁଣଗାନ।

ମଧୁକର, ବ୍ରଣମକ୍ଷି,- ପୃଥିବୀ ସଂପଦ,

ବାରି ସିନା ବରିନିଏ, ଯେ ଯାହାର ଖାଦ୍ୟ !

କର୍ମେ ରତ କର୍ମୀ,- ସୃଷ୍ଟି-ବିଧାତା ପରାୟେ,

ନିନ୍ଦା କି ପ୍ରଶଂସା ଲାଗି ଭ୍ରୂକ୍ଷେପ ନ ଥାଏ ।

ବସନ୍ତ ପରଶି ଧରା ସାରା ପୁଲକାଏ,

ବଂଶ-ତରୁ-ବଂଶ ପରା ପଲ୍ଲବ ଝରାଏ ?

 

ନିନ୍ଦୁକର ଠାବ ଯେବେ ନ ଥାନ୍ତା ଜଗତେ,

ସୃଷ୍ଟି-ଅଭିବୃଦ୍ଧି ଆଉ ଥାଆନ୍ତା କି ସତେ ?

ମତ୍ସରୀଏଥୋକେ ସିନା କଲେ ନିନ୍ଦାବାଦ,

ଜନେ ହେଲା ରୁଚିକର ଭାଗବତ-ସ୍ୱାଦ।

 

-ଦୁଇ-

 

ଛତ୍ର-ପତି ରୂପେ            ଅଖଣ୍ଡ ପ୍ରତାପେ,

ପ୍ରତାପରୁଦ୍ରଙ୍କ ଶାସନ ଚଳେ,

ବିବେକୀ, ପଣ୍ଡିତ            ଶାସକ ସେକାଳେ

ରାୟ ରାମାନନ୍ଦ ଦକ୍ଷିଣାଞ୍ଚଳେ।

 

ପ୍ରେମ ଭକ୍ତିବଳେ            ଭସାଇ ଉତ୍କଳେ

କୀର୍ତ୍ତନ ଛଳରେ ରସ ପରଶି,

ତେଜି ନବଦ୍ୱୀପ,            ଶ୍ରୀ ପୁରୁଷୋତ୍ତମେ

ଶ୍ରୀଚୈତନ୍ୟ ଦେବ ପ୍ରବେଶ ଆସି ।

 

ଲୋକ ମୁଖେ ତରି,            ଲୋକ ମୁଖେ ମରି,

ସେହି ଲୋକ ମୁଖେ ପଡ଼ିଛି ହୁରି,

ଗଉର-ଗୋବିନ୍ଦ,            ଅଭିନ୍ନ ମୂରତି,

କଳିରେ ପୂରିବ ବାଞ୍ଛା ସବୁରି ।

 

ନାହିଁ ଭେଦ ଜ୍ଞାନ,            କିଜ୍ଞାନ, ଅଜ୍ଞାନ

ପ୍ରଭୁ ପାଶେ ପାହିଁ ଭେଦ ବିଚାର

ନାହିଁ ଜାତି ଭେଦ,            ଉଚ୍ଚ ନୀଚ ବାଦ-

ନାହିଁ ପାପୀ ତାପୀ କୁଳ-ଆଚାର ।

 

‘ହରେକୃଷ୍ଣ ରାମ’            ନାମ ମହାମନ୍ତ୍ର

କୀର୍ତ୍ତନ ଛନ୍ଦରେ ମଧୁରେ ଗାଇ,

ଗୌର, ନିତ୍ୟାନନ୍ଦ            ଉତ୍କଳ ଭୂଦେଶ

ପ୍ରେମ ବନ୍ୟା ରସେ ଦେଲେ ଭସାଇ ।

 

ଦିନେ ରାମାନନ୍ଦ,            ଛାମୁ ଅବସରେ

ଜଣା କଲେ ଗୌର-ଭକ୍ତି ଚରିତ,

ଧାର୍ମିକ ପ୍ରବର            ବିଜ୍ଞ ନୃପବର

ଆଦେଶିଲେ ଭେଟଲାଗି ତୁରିତ ।

 

ଶ୍ରୀଗୌରାଙ୍ଗପାଶୁଁ            ଗୁରୁମନ୍ତ୍ର ଦୀକ୍ଷା,

ଘେନି ମହାରାଜ ହରଷ ମନ,

ଜଗନ୍ନାଥେ ବରି            ଗୁରୁପଦେ ରାଣୀ-

ପୂଜା କଲେ ଦେଇ ଫୁଲ ଚନ୍ଦନ ।

 

ରାୟ ରାମାନନ୍ଦ            ଛାମୁରେ ଜଣାନ୍ତି

‘‘ନୁହେ ଜଗନ୍ନାଥ ସାମାନ୍ୟ ଜନ,

ତ୍ୟାଗୀ ମଧ୍ୟେ ସାର            ପଣ୍ଡିତ ପ୍ରବର,

ରାଧାରଣୀ ଅଂଶ ଘେନି ଜନମ ।’’

 

ପ୍ରସିଦ୍ଧ ସଂସ୍କୃତ            ଭାଗବତ ଗ୍ରନ୍ଥ

ପରାକୃତ ପଦେ କରି ରଚନ,

ଉତ୍କଳେ ବିତରି            ଜ୍ଞାନ ସୁଧା ବାରି

ମୋହୁଛନ୍ତି ଜ୍ଞାନୀ, ଅଜ୍ଞାନ ମନ ।

 

ଖଞ୍ଜା କରାଇଲେ            ମନ୍ଦିର ବାହାରେ

ଉତ୍ତର ପଶ୍ଚିମେ ଦାସଙ୍କ ପାଇଁ,

ଦେବ ପୂଜି ଦାସେ            ଯୋଗରେ ରହନ୍ତୁ

‘ଓଡ଼ିଆ ମଠ’ ତା’ ନାମ ବୋଲାଇ।

 

ଦିନେ ଜଗନ୍ନାଥ            ଶ୍ରୀମନ୍ଦିରେ ପୀଠେ

ଭାଗବତ କରୁ କରୁ ପଠନ,

ଘେନି ଭକ୍ତବୃନ୍ଦ            ଗୌରନିତ୍ୟାନନ୍ଦ

କୃଷ୍ଣ ଗୁଣ ଗାଇ ଦେଲେ ଦର୍ଶନ ।

 

ଭାଗବତ ତଥ୍ୟ            ଦାସଙ୍କ ମୁଖରୁ

ଶୁଣି ଗୌରବଚନ୍ଦ୍ର ହେଲେ ଚକିତ,

ଆଖି ଆଖି ଭେଟ-            ହେଲା, ବେନି ଜନ

ପ୍ରେମରାଗେ ଭରି ଉଠିଲା ଚିତ୍ତ ।

 

ଅପୂର୍ବ ମିଳନ            ହେରି ଶ୍ରୀମନ୍ଦିରେ

‘ହରିବୋଲଧ୍ୱନି’ ପଡ଼େ ଉଛୁଳି,

ଗାଢ଼ ଆଲିଙ୍ଗନେ            ମତ୍ତ ବେନି ଜନେ

ମର-ବାସୀ ବୋଲି ଗଲେ କି ଭୁଲି ?

 

ଗଙ୍ଗା ଯମୁନାର            ସଙ୍ଗମ ହେଲା କି

ସେହି ଦିନୁ ଦୁହେଁ ଦୁହିଁଙ୍କୁ ଚିହ୍ନି,

ରସରାଜ କୃଷ୍ଣ-            ରସେ ବିତାଇଲେ

ଅବସର ହୀନ ଦିନ ଯାମିନୀ।

 

ଶ୍ରୀକୃଷ୍ଣ ସେବାରେ            ରତ ଗୌରଚନ୍ଦ୍ର

ଦିନେ ଦାସେ ତହିଁ ପ୍ରବେଶ ହେଲେ,

ଶିରରେ ମୁକୁଟ            ଖଞ୍ଜିଦେଇ ପ୍ରଭୁ

ବନମାଳା ଲାଗି ଦେଉଁ ସେ ଗଳେ;-

 

ଦେଖି ଜଗନ୍ନାଥ            ବିନୟେ ଭାଷିଲେ,

‘‘ଏ କି କଲେ ପ୍ରଭୁ ଅବିଧି ପଣ,

ଗଳେ ବନମାଳ            ଲାଗି ନ ବଢ଼ାଇ

ଶିରରେ ମୁକୁଟ ଦେଲେ ଆପଣ ?’’

 

ଚେତନା ପଶିଲା            ଆବେଶ ତୁଟିଲା

ଚମକି ଗୌରାଙ୍ଗ ଦେଖିଲେ ପାଶେ,

ଉଭା ଜଗନ୍ନାଥ,            ଭାଷିଲେ ଆଲିଙ୍ଗି,

‘‘ଅତି ବଡ଼ ତୁମେ ଅଟ ହେ ଦାସେ’’ ।

 

‘‘ଅତି ବଡ଼’’ ବୋଲି            ଉଣ୍ଡିମ ବାଜିଲା

ଗୌର-ଭକ୍ତ ବୃନ୍ଦ ମନ-ପରାଶେ-

ତେଜି ପ୍ରଭୁ-ସଙ୍ଗ            ଯାଜନଗ୍ରେ ଗଲେ

ଉତ୍‌କଳୀ-ଗୌରବ ହେରି ନିରାଶେ ।

 

‘‘ଏତେଦିନ ଧରି            ପାଦ ପୂଜା କରି

ଅତି ବଡ଼ ପୁଣି ହୋଇଲେ ଦାସେ,

ନ ପୁଣ ଆଉ କି            ଶୁଣିବାକୁ ଅଛି !

ମାନ ଯିବ ସିନା ଥିଲେ ଟି ପାଶେ ।’’

 

ଖେଦ ଭରି ମନେ            ଜଗନ୍ନାଥ ଦିନେ

ଜଣା କଲେ ‘‘ପ୍ରଭୁ ଏ କି ବିଚାର ?

‘ଅତି ବଡ଼’ ନାମ            ମୋହୋଠାରୁ ଘେନ

ଅଣାଅ ବୈଷ୍ଣବେ, ପଠାଅ ଚାର ।’’

 

ଚିଟାଉ ସହିତେ            ଚାର ବରଗିଲେ

ଜଗନ୍ନାଥ ହେଲେ ହରଷମନ,

ଫେରି ଆସି ଦୂତ            ନିରାଶେ ଜଣାଏଁ

ଋଷି ନ ଆସିଲେ ବୈଷ୍ଣବଗଣ।

 

ଘରେ ଘରେ ରଟେ            ଜଗନ୍ନାଥ ନାମ

ବେଳହୁଁ ତ ଥିଲେ ପଣ୍ଡିତେ ଶଲ,

‘ଅତିବଡ଼ ଦାସେ’            ପଦବୀ ଶ୍ରବଣେ

ଅନ୍ତର-ଗରଳ ହେଲା ପ୍ରବଳ ।

 

ଦିନେ ଅତିବଡ଼ୀ            ଅଛନ୍ତି ପହୁଡ଼ି

ଭଜନ-କୁଟୀରେ ନିଶାର୍ଦ୍ଧ କାଳେ,

ବେନି ପାରୁଶରେ            ବେନି ସଖୀ ଘେରି

ଜାଗି ରହିଛନ୍ତି ପଦ ସେବାରେ ।

 

ମେଧା, ସୁମେଧା ସେ            ବରଜ-ବାସିନୀ

ନିତି ଅଶରୀରୀ ରୂପେ ଆସନ୍ତି-

ରାଈ-ଅଂଶ ଜାତ,            ଦାସଙ୍କ ସେବାରେ

ସାରା ନିଶି ଦାସୀ ସରି ଖଟନ୍ତି ।

 

ଖଳ ଅସହଣୀ            ପଣ୍ଡିତ ଜଣେ କେ

ଦେଖିଲେ ନୟନେ ଏ କ୍ରୀଡ଼ା ଗତି,

ସୁଯୋଗ ମିଳିଲା,            ରାଜ-ସମୀପରେ

ଗୋପନରେ ଜଣା କଲେ ଝଟତି ।

 

ନିଜେ ମହାରାଜ            ଆଖି ଆଗେ ଦେଖି

ଆଦେଶିଲେ ‘‘କଥା ନୁହେଁ ଅସାର,

ଧରି ଆଣି ଦାସେ            ରଖ ବନ୍ଦୀ ଘରେ

କାଲି ଦରବାରେ ହେବ ବିଚାର ।’’

 

ରଟିଗଲା ରାଜ୍ୟେ            ପଲକ ମାତ୍ରକେ

ଅତିବଡ଼ୀଙ୍କର କଳଙ୍କ ଗାଥା,

ଦିବାକର ତୁଲେ            ଯେତେ ଶିଷ୍ୟ ଥିଲେ

ବିଷାଦେ ନୁଆଁଇ ବସିଲେ ମଥା ।

 

ବଡ଼ରେ କଳଙ୍କ            ଝଡ଼ ବେଗେ ବଢ଼େ

ଏ ତ ଜଗତର ନିୟତ ଗତି,

ସାତ କଥା ଶୁଣି            ସତୀ ଭୁଲେ ପରା,

ମହାରାଜ କିସ, ଟଳିବେ ଯତି ।

 

ପରଦିନ ସଭା            ଗରଜି ଉଠୁଛି

ବିଜେ ମହାରାଜ ବିଚାରାସନେ,

ଘେରି ବସିଛନ୍ତି            ଚଉପାଶେ ପାତ୍ର,

ବକସି ଆବର ପଣ୍ଡିତ ଜନେ ।

 

ପ୍ରବେଶ ଏକାଳେ            ପ୍ରସନ୍ନ ବଦନେ

ଅତିବଡ଼ୀ ଦାସେ, ହେବ ବିଚାର,

ସାର୍ବଭୌମ ନାମେ            ଶାସ୍ତ୍ରଜ୍ଞ ପଣ୍ଡିତ

ଶ୍ରୀମୁଖ-ଆଦେଶ କଲେ ପ୍ରଚାର ।

 

‘‘ଆଜିଯାଏ ଥିଲେ            ଅନ୍ଧ ପରି ଲୋକେ

ଜାଣି ନ ଥିଲା କେ ଦାସ ଚରିତ୍ର,

ନିଶା ଅର୍ଦ୍ଧେ ବେନି-            ରୂପସୀ ତରୁଣୀ

ଶଯ୍ୟା ପାଶେ- ଏ ତ ଦୃଶ୍ୟ ବିଚିତ୍ର !

 

ଧାର୍ମିକ-ପ୍ରବର            ବୋଲାନ୍ତି ପରା ସେ

ଏ ରାଜସଭାରେ କହନ୍ତୁ-ସେ ତ

ସତ୍ୟ ଅବା ମିଥ୍ୟା            ଦାସଙ୍କ ମୁଖରୁ

ଖ୍ୟାତି, ଅପଖ୍ୟାତି ଶୁଣୁ ଜଗତ ।’’

 

ହସି ଅତିବଡ଼ୀ            ସଭାରେ ଭାଷିଲେ

‘‘ନାରୀ ସେବା ନାରୀ କରେ ବିଧାନେ,

ରାଣୀହଂସେ ପୁରେ            ଦେଖା ଅଛି କାହିଁ

ଖଟଣୀ ପଣରେ- ପୁରୁଷ ଜଣେ ?’’

 

ପ୍ରତ୍ୟୁତ୍ତର ଆସେ            ‘‘ତୁମ୍ଭେ ତ ପୁରୁଷ,

ଆବର ସନ୍ନ୍ୟାସୀ ବୋଲ ଆପଣେ,

ବେନି ଯୁବାନାରୀ            ପାଶେ ଥିବା କଥା

ମିଥ୍ୟା ହୋଇବ କି ଧର୍ମ ପ୍ରମାଣେ ?’’

 

‘‘ନୁହେଁ ମୁଁ ପୁରୁଷ,            ନୁହେଁ ମୁହିଁ ନାରୀ;

ମୁଁ ପୁଣି ପୁରୁଷ, ମୁଁ ପୁଣି ନାରୀ,

ନାରୀ ଅଙ୍ଗ ଶୋଭା            ନିରେଖୁ ଏ ସଭା

ଜଗନ୍ନାଥ ନୁହେଁ ବଞ୍ଚନାକାରୀ।’’

 

ବିସ୍ମୟ ଚକିତ            ସଭା, ପୁଲକିତ

ଶିଷ୍ୟ ବର୍ଗ ମୋଦେ ମାରିଲେ ତାଳି,

ସିଂହାସନ ତେଜି            ନିଜେ ମହାରାଜ

ଅତିବଡ଼ୀ ପଦେ ପଡ଼ିଲେ ଢଳି ।

 

‘‘କ୍ଷମାକରଘୋର            ଅପରାଧ ମୋର’’

କହୁ କହୁ ଦାସେ କାହାନ୍ତି ଆଉ ?

ଯୋଗସିଦ୍ଧ ଜନ            ପବିତ୍ର ଜୀବନ

ଛାର ଅହଂକାରୀ ସାଧିବେ ଦାଉ ?

 

ଅତି ଛୋଟ ସେହି            ମନ୍ଦିରେ ବିଲୀନ

ଅତି ବଡ଼ ଦାସେ ଦେଶ-ଗରବ,

ପ୍ରବଳ ସାଗର            ସପତ ଲହରୀ

ଘଞ୍ଚି ରଚିଅଛି ସମାଧି-ଠାବ ।

 

ମାଳତୀ

 

କଳିଙ୍ଗ ଊରେ ବିହାର      କରେ ଚିତ୍ରୋତ୍ପଳା ସାର

ଧାର ତାର ହାର ସରି ଶୋହେ,

ଜଗତେ ଲଭି ପ୍ରସିଦ୍ଧି      ବୋଲାଏ ସେ ମହାନଦୀ

ସୁର, ନର ମୁନି ମନ ମୋହେ।

 

ଲତିକା କୁସୁମ ଗଭା      ଖଞ୍ଜି ଶିରୀ ମୁଖ ଶୋଭା

ହେରେ ନିତି ଜଳ-ଦରପଣେ-

କୁରଙ୍ଗୀ ଶାବକ ସଙ୍ଗେ      ତୀର ବନେ ଖେଳେ ରଙ୍ଗେ

ଚିରା ମାରି ଅଲିଅଳ ପଣେ ।

 

ମଧୁକର ଗୁଣୁ ଗୀତି            ଶୁଣାଏ ଶ୍ରବଣେ ନିତି

ବଣମଲ୍ଲୀ କରେ ନିରାଜନା।

କାଶ କୁସୁମ ଚାମର      ଢାଳଇ ଦୋଲାଇ ଶିର

ସେବା ବିଧି ବିଧି-ସରଜନା ।

 

କାହିଁ ଭୀମ ଦନ୍ତାବଳ      କଷୁଥାଇ ଦନ୍ତବଳ

ତୀର ତରୁ ଆଘାତେ ବିକଳ,

ଧିକ ! ସିନା ସେ ପରବ      ଦେଖାଏ ଯହିଁ ଗରବ

ଅବଳର ନିକଟେ ସବଳ ।

 

କାହିଁ ବା ତରଣୀ ବାହି      ନାବିକ କଣ୍ଠେ ଶୁଭଇ

ଆହୁଲା ତୁଲରେ ‘‘ଜାଈଫୁଲ’’,

କେବେ ତୁ ଛାତି ଫୁଲାଉ      ଉଛୁଳି ଚଳିବୁ କହୁ

‘‘ପଥ ରୋଧେ କାହିଁକି ସେ କୂଳ ?’’

 

ନ ଥିଲେ ସେ ଦୁହେଁ ସଖି,      ତୋ ମହତ ଥାଆନ୍ତା କି

ଲଭନ୍ତୁ କି ସାଗର ସଙ୍ଗମ ?

ଅତି ଉଚ୍ଛୃଙ୍ଖଳେ ଧାଇଁ      ପଡ଼ନ୍ତୁ ଅକୂଳେ ଯାଇ

କୂଳ ଜଗେ ତୋ କୁଳ-ଧରମ।

 

ନିରେଖିଛି ଏହି ଦେଶେ      ଡର ଭୟ ନାହିଁ ଲେଶେ

ଛତ୍ରପତି ବୀର ରଣସଜ୍ଜା,

ବୋଇତ ଭସାଇ ତହିଁ      ଜୟ କେତନ ଉଡ଼ାଇ

ବଜାଇ ତଳଇ ବୀର ବାଜା ।

 

ଅତୀତ ହେଲାଣି କାଳ      ଚାରିଶ ବରଷ ତଳ,

ଉତ୍ତର ତୀରେ ତୋରାଜଗଡ଼,

ମନ୍ଦରଧର ଭୂପତି      ନରସିଂହପୁର ପତି

ଥିଲେ ବୀର ଅଭିମାନୀ ବଡ଼।

 

ବଳୀ ହୋଇଶାନ୍ତଧୀର,      ନୁଆଁଇବେ ନାହିଁ ଶିର

ପର ଛତ୍ର ତଳେ-ଏହି ପଣ,

ଧରମହୁଡ଼ିବେ ନାହିଁ,      ପରରାଜ୍ୟେ ସେ ଲୋଭାଇ

ନ ସହିବେ ଅରି ଆକ୍ରମଣ ।

 

ନରସିଂହପୁର ରାଜ୍ୟେ      ଲକ୍ଷ୍ମୀ ଅବା ନିଜେ ବିଜେ,

ମେଲିଛନ୍ତି ଗନ୍ତାଘର ସାରା,

ଶାସନର ମୂଳେ ଯହିଁ      ସ୍ନେହ ମମତା ଫୁଟଇ

ପରଜା ମଣଇ ପିତା ପରା !

 

ଏକାଳେବରଗୀଗୋଳ      ହୋଇଲା ଅତି ପ୍ରବଳ

ଗ୍ରାମେ ପଶି ଲୁଟିଲେ ସମ୍ବଳ,

ପୀଡ଼ନ, ଧର୍ଷଣ ଆଦି-      ଯେତେକ ଅକର୍ମସାଧି

ରାଜ୍ୟସାରା ପଡ଼ିଲା ଚହଳ ।

 

ସମ୍ମୁଖ ସମର ପାଇଁ            ଦେଖା ତ ମିଳଇ ନାହିଁ

ପର୍ବତ, କନ୍ଦରାଘୋର ବନେ-

ବରଗୀଏ ବାନ୍ଧି ଦଳ      ରାଜାରେ ଦେଲେ ଖବର

ଦଶ ବରଷର କର ଦାନେ !

 

କୁପିଲେ ମନ୍ଦରଧର-      ଗର୍ଜ୍ଜି କଲେ ରେରେ କାର

ତଡ଼ିଲେ ପାଇକେ ଖଣ୍ଡା ଧରି,

ଏଣୁ ପଳାଇ ସେ ତେଣେ      ଲୁଚି ଲୁଟନ୍ତି ଅଧର୍ମେ

ନରସିଂହ ପୁର ଉଠେ ଥରି ।

 

ସମ୍ମୁଖେ ପଡ଼ିଲେ ଭେଟ      ପାଇକଙ୍କ ଖଣ୍ଡା ଚୋଟ

କାଟଇ ବରଗୀ ଅଗଣନ,

ରକ୍ତବୀର୍ଯ୍ୟବଂଶପରି      କାହୁଁ ପୁଣି ଯାଏ ବଢ଼ି

ରାଜ୍ୟେ ପଶି କରନ୍ତି ଲୁଣ୍ଠନ ।

 

ଭାଗ୍ୟ, ଚକ୍ରନେମୀ ସରି      ଘୂରେ ଦିବସ ଶର୍ବରୀ

ଅନ୍ଧାର ଆଲୋକ ସିନା ଭାଗ୍ୟର ଫଳ,

ଏଥିପାଇଁ ପଦାନତ,            ନୁହେ ବିବେକୀ ମହତ,

ଅସି ଥାଉଁ କରେ ଶିର ହୋଇବ ତଳ ?

 

ରାଜ ପରିବାର ଗଣେ      ଗୁପତେ ରଖି ଅରଣ୍ୟେ

‘ପରଖିବା ଦେଖି କେତେ ବରଗୀ ବଳ,’

ଭାନୁ ମଙ୍ଗରାଜ ତୁଲେ      ରାଜା ଏ ବିଚାର କଲେ,

ଏକା ମଙ୍ଗରାଜେ ମହାବଳୁଁ ପ୍ରବଳ ।

 

ଏକେ ରାଜ-ବଂଶଧର      ସେନାପତି ଏ ରାଜ୍ୟର

ଭାନୁ ମଙ୍ଗରାଜ ନାମେ, ବରଗୀ ଠକ,

ସଦା ଥରହର ଡରେ      ମଙ୍ଗରାଜ ସ୍ମରଣରେ

ସରଦାର ଶିରେ ଅବା ପଡ଼େ ଚଡ଼କ।

 

‘ବରାହ ଖୋଲ’ ତା ନାମ      ହିଂସ୍ର ପଶୁ ଲୀଳା-ଧାମ

ଦିବସରେ ନ ଦେଖଇ ତପନ କର,

ପର୍ଣ୍ଣ-କୁଟୀର ତିଆରି      ଘେନି ରାଣୀ ପରିବାରୀ

ଏ କାଳ କାଟିବେ ରାଜା କଲେ ବିଚାର ।

 

ସୁକୁମାରୀ ମହାଦେଈ      ପଥ ଚାଲି ନ ଜାଣଇ

ଆସନ୍ନପ୍ରସବା ପୁଣି ଥିଲେ ଦଇବେ,

ପଥେ ଯାଉଁବୃକ୍ଷତଳେ      ଯୁବରାଜ ଜାତ ହେଲେ

ରାଜ-ରାଣୀ ହୋଇ କେତେ ଦୁଃଖ ସହିବେ ?

 

କାହିଁ ମଙ୍ଗଳ ବାଜଣା-      ଗ୍ରାମଦେବତୀ ମାଜଣା

କାହିଁ ରାଜ ସିଂହଦ୍ୱାରେପ୍ରଜାଗହଳ,

ମତ୍ତ ମାତଙ୍ଗ ପିଁକାର      ଅଖଣ୍ଡ ଝିଲ୍ଳୀ ଝଂକାର

କୁଟୀର ପାରୁଶେ ସିନା କରେ ଚହଳ ।

 

ଛଳେ ବୀର ମଙ୍ଗରାଜେ      ରହିଲେ ମାତ୍ରକ ରାଜ୍ୟେ

ଜଣାଇଲେ ଅଟନ୍ତି ସେ ରାଜବଇରୀ;

ରାଜବଂଶୀ ହୋଇ ଅଂଶ-      ନ ପାଇ ସେ ଅସନ୍ତୋଷ

ଦେଖି ନ ପାରନ୍ତି ତେଣୁ ନୃପତି ଶିରୀ ।

 

ଏକେ ଥାଏ ଚିତ୍ତେ ଦର      ସତ୍ୟ ମଣି ଠକଦଳ

ମଙ୍ଗରାଜେ ବରଗୀଏ ଦେଲେ ବଚନ,

ଚଉଠ ଆଦାୟ କରି      ମନ ସୁଖେ ଯିବୁ ଫେରି

ଭାଗ ଛାର ପାଇଁ ଦୁଃଖ ନ କର ମନ ।

 

ଏ ରାଜ୍ୟ, ଏ ସିଂହାସନ,      ରାଜଟୀକା, ସନମାନ

ଅରପିବୁ ମଙ୍ଗରାଜେ ତୁମ୍ଭରି କର,

ଉଦ୍ଧତ ମନ୍ଦରଧର            ନ ଦେଲା ଆମ୍ଭର କର

ଦଳିବାରେ ତାକୁ ଯେବେ ହୋଇବ ବଳ ।

 

ଚତୁର ସେ ମଙ୍ଗରାଜେ      ସହାୟ ହେବା ନିର୍ଦ୍ଧାର୍ଯ୍ୟେ

ମନ୍ତ୍ରଣା ଶୁଣନ୍ତି ଥାଇ ବରଗୀ ସଙ୍ଗେ,

ନୀବର ହେଲେ ଧରଣୀ            ଅଶ୍ୱ ଚଢ଼ିବୀରମଣି

ଛାମୁରେ ଜଣାନ୍ତି ନିତି ନିଶି ପ୍ରସଙ୍ଗେ ।

 

ମନ୍ତ୍ରଣା ହୁଅଇ ପଣ୍ଡ            ବରଗୀଏ ଲଣ୍ଡଭଣ୍ଡ

ଝଡ଼ପରି କାହୁଁ ଆସି ପାଇକ ଗଦା,

ପରଚଣ୍ଡ ଖଣ୍ଡା ଧରି            କେ ଅବା କୁନ୍ତେ ବିଦାରି

ଅତ୍ୟାଚାରୀ ବସ୍ୟୁଦଳେ କରନ୍ତି ପଦା ।

 

ନଅବର୍ଷ ଏହିପରି            ମଙ୍ଗରାଜେ ଛଳ କରି

ଜଗିଲେ ବରଗୀ ବଳେ ଶକୁନି ଯଥା,

ନୋହିଲେ ଥାଆନ୍ତା ନାହିଁ      କେ ଆଜି ହୁଅନ୍ତା ଗାଇ

ନରସିଂହ ପୁର ଅବା ମାଳତୀ କଥା ?

 

ଦଇବ ବିପାକେ ଥରେ      ବରଗୀ ଚାର ଭେଟରେ

ପଡ଼ିଗଲେ ମଙ୍ଗରାଜେ ବନ ପଥରେ,

ମନ୍ତ୍ରଣା କରନ୍ତେ ବସି      ଅରୁଣ ଉଦୟ ଆସି

ବାହୁଡ଼ି ପାରିଲେ ନାହିଁ ସେ ନିଶୀଥରେ ।

 

ବରାହ-ଖୋଲୁଁ ବାହାରି      ରାଜା ମଙ୍ଗରାଜେ ମିଳି

ବନେ ଏକ ତରୁତଳେ ହୁଅନ୍ତେ କଥା,

ମଙ୍ଗରାଜେ ଦେଖିଦେଲେ      ପାଶେ ଲତା ଅନ୍ତରାଳେ

ଅଧା ଅଧା ଦିଶେ ବେନି ବରଗୀ ମଥା,

 

ରାଜାରେ କହିଲେ ଠାରି,      ‘‘କଥା ଆଜି ଗଲା ସରି

ଜାଣିଥିଲା ବରଗୀ ମୁଁ ଛାମୁ ଭଗାରୀ,

ସଂବାଦ ତ ଦେବେ ଯାଇ      ଆଉ ତ ଉପାୟ ନାହିଁ

ଶୁଣି ଦଳପତି ହେବ ବିଷ ଭଗାରି ।’’

 

ଏତେ କହୁଁ, ନୃପବର      ସନ୍ଧାନିବରଗୀଚର

ଶିରେ ଗୁଳିମାଡ଼ କଲେ ଅବ୍ୟର୍ଥ ସେ ତ,

ପବନ ବେଗରେ ଧାଇଁ      ଆରେକ ଗଲା ପଳାଇ

‘‘ବବଗୀ ପାଶେ ବାରତା ଦେବ ଟି ଏ ତ ।’’

 

ମଙ୍ଗରାଜେ ଏତେ କହି      ବେଗେ ଅଶ୍ୱ ଝପଟାଇ,

ପବେଶହୋଇଲେ ଆସି ନିଜ ଆବାସ,

କହିଲେ ମୁକୁନ୍ଦେ ରାଇ      ‘‘ଆଉ ବାବୁ ତର ନାହିଁ,

ମାଳତୀରେ ରଖିଆସ ରାଜାଙ୍କ ପାଶ ।

 

ଏତେ କାଳ ଜଗି ଜଗି      ଶେଷେ ଜାଣିଛି ବରଗୀ,

ନୃପତି ସହିତେ ମୋର ଅଛି ବିଶ୍ୱାସ,

ଅନ୍ତଃସତ୍ତ୍ୱା ବଧୁ ମୋର      ଆଗତ ବିପତ୍ତି ଘୋର

ଏକମାତ୍ର ସନ୍ତାନ ତୁ ଜୀବନ ଆଶ ।

 

ରହିଛି ମୁଁ ଘର ଜଗି            ଆସିବେ ଯେବେ ବରଗୀ

ଅଛି ତ ବାହୁରେ ବଳ, ପ୍ରହର ବେନି,

ଥିବି ଦ୍ୱାରେ ଅଟକାଇ            ପହଞ୍ଚି ପାରିବୁ ଯାଇ

ରାଜାଙ୍କ ନିକଟେ ବଧୂ ସଙ୍ଗରେ ଘେନି ।

 

ସବୁ ଅତି ସାବଧାନ            ମାଳତୀ ମୋ କୁଳ ମାନ

ପୁଣି ଗର୍ଭବାସ ପୂର୍ଣ୍ଣ ନବମ ମାସ,

ଘେନି ସଙ୍ଗେ ଅଶ୍ୱ ପରେ            ଗତିକର ଧୀରେ ଧୀରେ

ବୀର-ସୁତ ମୋର ତିଳେ ନୁହେ ହତାଶ ।’’

 

-ଦୁଇ-

 

ଦୁଃଖ ପରେ ଦୁଃଖ ଭାଲେ ବିହି ଲିହିଥାଇ,

ଅଦୃଷ୍ଟ ବୋଲି, ଅଦୃଷ୍ଟ ସିନା ସେ ବୋଲାଇ,

ତେଣୁ ଅବିବେକ ପଣେ,

ଜଗତରେ ବିଧାତାକୁ ଲୋକ ପରା ଗଣେ ।

 

[୨]

ରୂପେ ଗୁଣେ ମାଳତୀ ସେ ମାଳତୀ ଯା ନାମ,

ସୁର ପୁର ବାଳୀ ଖଣ୍ଡ-ତପେ କି ଜନମ ?

ଅବା କୈଳାସ ପୀଠର,

ପାର୍ବତୀ ସମାନ ହେବ, ବୟସ ଅଠର ।

 

[୩]

ଶ୍ରୀମୁଖ ସୁନ୍ଦର ପଣେ ନିନ୍ଦଇ ଚନ୍ଦ୍ରମା,

ମଳିନ ନଳିନ ହେରି ନୟନ ସୁଷମା,

ଅଙ୍ଗେ ପରଶ ବାଧିବ,

ଡରି ନ ଧରି କି ? ମନେ ଗଢ଼ିଛି ଦଇବ ।

 

[୪]

ବଲାଙ୍ଗୀ ବାଉଁଶ ବଂଶେ ନିଘଞ୍ଚ ବନାନୀ,

ଗର୍ଭଭାରେନିଶକତ ନାହିଁ ମୁଖେବାଣୀ।

ପତି ତୁଲେ ଚଳେ ସତୀ,

ବିଷମ ବଂଧୁର ପଥେ ଅଶ୍ୱ କରେ ଗତି ।

 

[୫]

ଜନମ ଦୁଃଖିନୀ କରି ଗଢ଼ିଥିଲେ ଧାତା,

ବଳି ନାହିଁ କାଳ, ଦୁଇ ବରଷର କଥା,

ଶୁଭ ବିବାହ ବାସର,

ଆକାଶ, ପୃଥିବୀ ଏକା ସାକ୍ଷୀ ସିନା ତାର ।

 

[୬]

ବରିଥିଲା ବର କରେ ଭେଟି ତବବାର,

ପ୍ରତିଦାନେ ଭାଲି ଏକ ପ୍ରୀତି ଉପହାର-

ବର ଦେଇଛି ବଢ଼ାଇ,

ଶରଧାରେ ଘେନି ମନେ, ମଣିଛି ବଡ଼ାଇ।

 

[୭]

ସେ ଛବି ତା ଆଖି ଆଗେ ଦିଶେ ଜଳଜଳ,

ସଂଭାଳି ନ ପାରେ ମାତ୍ର ଅଶ୍ୱରଦୋହଲ,

ଗର୍ଭ ବେଦନା ପ୍ରବଳ-

ପଡ଼ିଲା, ଝାଉଁଳି ବାଳା, ହେଲା ଟଳମଳ ।

 

[୮]

ଅଶ୍ୱ ପୃଷ୍ଠୁଁ ବେନି ଜନେ ଆସିଲେ ଭୂତଳ,

ମୁକୁନ୍ଦ ନୟନ କୋଣେ ନୀର ଝଲମଲ,

ଦେଖି ମାଳତୀ ବିକଳ,

ଶିର ଘୂରି ଚଉଦିଗ ହେଲା କି ଅନ୍ଧାର ?

 

[୯]

ଇଷ୍ଟ ଦେବୀ ‘ପରଗଳା’ ଜପେ ନିରତରେ,

ଜନମ ଲଭିଲା କନ୍ୟା-ରତ୍ନ ଦଣ୍ଡକରେ,

ଜାଣେ ସିନା ଅସି ଧରି,

ପ୍ରସବ ବେଦନା କାହୁଁ ଜାଣିବ ସୁନ୍ଦରୀ ?

 

[୧୦]

ଅନୁମାନେ ସାରି ବେଗେ ଜାତ-କର୍ମମାନ

ଝରଜଳେ ଶେଷ କଲେ ପ୍ରସୂତି ସ୍ନାହାନ।

ତଳେ ନବଦଳ ପାରି,

କନ୍ୟା ତୁଲେ ବିଶ୍ରାମିବେ, ଦଣ୍ଡେ ଥିଲେ ଭାଳି ।

 

[୧୧]

ଏକାଳେ ପଡ଼ିଲା କାନେ ଚଡ଼କ ଧମକ,

ଦୂରପଥ, ଘୋରଚନ, ଆଣିଲା ଚମକ,

ବିଧି ବିଧି ହେଲା କାଳ,

ଆଶ୍ୱିନ ଆକାଶେ ଘୋଟିଗଲା ମେଘ ମାଳ ।

 

[୧୨]

ବିଶ୍ରାମ ପାସୋରି ‘ପରଗଳା’ ନାମ ଧରି,

ଉଠିଲେ ମୁକୁନ୍ଦ, ପୁଣି ପାରିଲେ ସେ ବାରି,

ପାଖେ ବନ ହସ୍ତୀ ପଲ,

ପଲାସି ଆସନ୍ତି ବର୍ତ୍ତିବାକୁ ନାହିଁ ତର ।

 

[୧୩]

ହାବୁଡ଼େ ପଡ଼ିଲେ ଭେଟ ଯମର ଅଗଣା,

ବନହସ୍ତୀଘଉଡ଼ିବା ତର ତାଙ୍କୁ ଜଣା,

ଳୁଚିବଲାଙ୍ଗୀଉହାଡ଼େ,

ଫିଙ୍ଗିଲେ ଉପଳ-ଖଣ୍ଡ ଦନ୍ତା ରଡ଼ିଛାଡ଼େ।

 

[୧୪]

ଦୂରେ ଫେରି କରିଯୂଥେ ଶବ୍ଦ ବାରୁଥିଲେ,

ଅଶ୍ୱ ପୃଷ୍ଠେ ତିନି ଜଣ ବେଗେ ଚଳିଗଲେ,

ପୁଣି ବିପଦ ଆଗରେ,

ଦିଶିଲା ବରଗୀ ଦଳ ଦକ୍ଷିଣ ଭାଗରେ ।

 

[୧୫]

ହାବୁଡ଼େ ପଡ଼ିଲେ,- ଯହିଁଲାଗି ଚିତ୍ତେ ଦର,

ଯାହା ହେତୁ ଆଜି ତେଜି ଆସିଛନ୍ତି ଘର,

ଲୋକ ଯହିଁକି ଡରଇ,

ବିଧାତା ଭିଆଣେ ପୁଣି ତହିଁରେ ମରଇ ।

 

[୧୬]

ଦେହ-ଛପା ଦେବେ ଭାଳି ହେଲେ ତତପର,

ଅଶ୍ୱକୁ ବାନ୍ଧିବେ କାହିଁ ଭାଳନ୍ତି ମନର,

ହସି ବରଗୀରୁ ଜଣେ,

ପାଶେ ଆସନ୍ତେ, ମୁକୁନ୍ଦ ବିଚାରିଲେ କ୍ଷଣେ ।

 

[୧୭]

ଆଉ କିପାଁ ଭୟ ଯେବେ ନିଶ୍ଚିନ୍ତ ମରଣ ?

ସିଂହ ସୁତ ମୁହିଁ; ମୋର ଜନମ ତ ରଣ,

ନାହିଁ ତହିଁକି ଶୋଚନା,

ପ୍ରସୂତି, କନ୍ୟାର ଚିନ୍ତା ଦିଅଇ ଯାତନା ।

 

[୧୮]

ମାଳତୀ ଏକାଳେ ଦମ୍ଭ ଦେଇ କହେ କଥା,

‘‘ଜନମ ମରଣ ସାଥୀ, ମୁଁ ପରା, ଦେବତା !’’

ମିଛେ ନୁହ ତୁମ୍ଭେ ଘାରି,

କର୍ତ୍ତବ୍ୟ ସୁମରି ବେଗେ ଧର ତରବାରୀ ।’’

 

[୧୯]

ନିଷ୍କାଷିତ ଖର-ଅସି ଧରି ବୀରବର,

ତୁରଙ୍ଗମୁଁ ଓହ୍ଲାଇଲେ ଖରେ ଭୂମିତଳ

ଡାକେ ‘‘ଆସ ଜଣେ ଜଣେ,

ଯୁଝ ସଙ୍ଗେ ମୋର ଯେବେ ଗଣା ବୀର ପଣେ ।’’

 

[୨୦]

କହିଲା ପାତକୀ ‘‘ମିଛେ କିପାଁ ଏ ସମର ?

ଜାଣିଛୁ ତ ରାଜା ଆମ୍ଭେ, ରାଜ୍ୟ ତ ଆମ୍ଭର,

କାହୁଁ ଆଣିଛୁଁ ତରୁଣୀ,

କରେ ଦେଇ, ସୁଖେ ଯାଅ, ହେବୁ ଚିରଋଣୀ।’’

 

[୨୧]

ମୁକୁନ୍ଦ ନୟନେ ଜଳି ଉଠିଲା ଅନଳ,

ହୋଇଲେ ମାଳତୀ ଯୁଦ୍ଧ ଲାଗି ତତପର,

କାନି ପଣତେ ପୂରାଇ,

କନ୍ୟାକୁ ବାନ୍ଧିଲେ ନିଜ କଟିରେ ଘେରାଇ ।

 

[୨୨]

ପତିର ଜୀବନ-ଆଶା ନାହିଁ ସତୀ ମନେ,

ସଜ ଫୁଲ ସରି ସୁତା ମଉଳିବ ବନେ,

ମାତ୍ର ଥିବା ଯାଏ ଅସି,

ଛୁଇଁ ନ ପାରିବ ପାପୀ ଏ ଅଙ୍ଗ ଭରସି

 

[୨୩]

ବରଗୀ କୁଟ ଭର୍ତ୍ସନା କରିଲେ ଅନେକ,

ମୁକୁନ୍ଦ କହିଲେ, ‘‘ରଖି ଦିଅ କଥା ଟେକ,

ହୀନ ପିଶାଚର ଦଳ,

ନାରୀର ମହତ୍ତ୍ୱ କାହୁଁ ବୁଝିବ ଚଣ୍ଡାଳ ?’’

 

[୨୪]

ଦଳରୁ ଆଗୁଆ ଜଣେ ଏ କାଳେ ବାହାରି,

କହେ କଥାରେ କି ଲାଭ ନାରୀ ଆଣ ଧରି,

ଶୁଣି ମୁକୁନ୍ଦ ପ୍ରଚଣ୍ଡ-

ଅସି ଘାତେ ଗଣ୍ଡି ମୁଣ୍ଡ କଲେ ଖଣ୍ଡ ଖଣ୍ଡ।

 

[୨୫]

ବେନି ପକ୍ଷେ ଆରମ୍ଭିଲା ତହୁଁ ଘୋର ରଣ,

ଏକାକୀ ମୁକୁନ୍ଦ, ଅରିପକ୍ଷେବହୁଜନ,

ଦେଖି ଅଶ୍ୱରୁତୁରିତେ-

ଓହ୍ଲାଇ ମାଳତୀ ଉଭା ରଣଚଣ୍ଡୀ ସତେ !

 

[୨୬]

ଦୁହେଁ ମିଶି ବରଗୀର ଦଳେ କଲେ ପଦା,

ଦଣ୍ଡକରେ କଟାମୁଣ୍ଡହୋଇଗଲା ଗଦା,

ସେ କି ଦେଖିଥିଲେ ଆଉ ?

କଳିଙ୍ଗ-କୁଳ-ଲଳନା ତରବାରୀ ଦାଉ ।

 

[୨୭]

ଜଣେ ଅଧେ ପଳାଇଲେ ବଞ୍ଚାଇ ପରାଣେ,

ହେଜିଲେ ମାଳତୀ ତହୁଁ କନ୍ୟା କଥା ମନେ,

ବେଗେ କମର ଫେଇଲେ,

ଏତେ ଦୁଃଖେ ତୋଷେ ‘କୁଆଁ’ ଶବଦ ଶୁଣିଲେ ।

 

[୨୮]

ଅଶ୍ୱପରେ ବସି ସ୍ଥାନ ତେଜିଲେ ତତ୍‌କ୍ଷଣ

କିଛି ଦୂର ପଥେ ଏ କି ବିଚିତ୍ର ଘଟଣ !

ପାପୀ ବରଗୀର ଦଳ,

ଆସୁଛନ୍ତି ଅଗଣନ ଶୁଭିଲା ଚହଳ ।

 

[୨୯]

ମୁକୁନ୍ଦ କହିଲେ ସହି ! ଆଉ ରକ୍ଷା ନାହିଁ,

ଅସଂଖ୍ୟ ବରଗୀ ସେନା ଆସେ ଏଣେ ଧାଇଁ

ଡରେ ପଳାଇ ଯେ ଥିଲା,

ଦଳେ ଯାଇ ସଂବାଦ ସେ ନିଶ୍ଚୟ କହିଲା ।

 

[୩୦]

ନବଜାତ ଶିଶୁରେ ଅନାଇଁ ବୀରବର,

କମଳ ନୟନ ହେଲା ନୀରେ ଛଳ ଛଳ,

‘‘ଏକା ଏହା ଲାଗି ଥିବୁ,

ରଖିବ ଏ କୁଳ ନାମ ଜୀବ ନ ତେଜିବୁ ।

 

[୩୧]

ବୀରର ଜୀବନ-ସାଥୀ ଉତ୍‌ଥାନ ପତନ,

ଘେନ ରେ ବାନ୍ଧବି ! ଏ ମୋ ଶେଷ ଆଲିଙ୍ଗନ,

ଭବେ ଥିବା ଯାଏ ଜୀବ,

ପଛଘୁଞ୍ଚା ଦେବାର ଭଗାରି ନ ଦେଖିବ ।’’

 

[୩୨]

ବାଣୀ ଶୁଣି ଝରେ ନୀର ନୟନୁଁସତୀର,

ଦଣ୍ଡକେ ଧଇର୍ଯ୍ୟ ଧରି କହେ, ‘‘ଆହେ ବୀର !

ତୁମ୍ଭେ ନ ହୁଅ ଅଧୀର,

ଧରାରେ ଜନମ ଲଭି ନୁହଇ କେ ଚିର ।

 

[୩୩]

ବୀର ନାରୀ ଜାଣେ ମରି, ମାରି ଜାଣେ ଅରି,

ମୋ ଚିନ୍ତା ପାସୋରି ବୀର, ସାଜ ବେଗ କରି,

କହେ ତୁମ୍ଭରି ସାକ୍ଷରେ,

ଆଜ୍ଞା ପାଳିବ ହେ ଦେବ ! ଅକ୍ଷରେ ଅକ୍ଷରେ।

 

[୩୪]

କହୁଁକହୁଁଝଡ଼ ସରି ବରଗୀ ଆସିଲେ,

ଖର ଅସି ଝଲକାଇ ମୁକୁନ୍ଦ ଭାଷିଲେ,

କିସ ଲୋଡ଼ୁଛପାମରେ,

ଭାନୁ ମଙ୍ଗରାଜ ସୁତ ସମରେ କି ଡରେ ?

 

[୩୫]

ଅଟ୍ଟହାସେ ହସି କହେ ବରଗୀ ପ୍ରଧାନ,

‘‘ଜୀବନରେ ତୋର ନାହିଁ ଆମ୍ଭ ପ୍ରୟୋଜନ,

ଦିଅ ଏ ନାରୀ-ରତନ,

ପ୍ରତିଦାନେ ମାଗି ନିଅ ଯେତେ ଇଚ୍ଛା ଧନ ।’’

 

[୩୬]

ମୁକୁନ୍ଦ କହିଲେ, ‘‘ଆରେ ପାମର ଦୁର୍ଜ୍ଜନ,

ଜୀବନେ ନ ଥିବ ଦେଖି ବୀରର ମରଣ,

ନାହିଁ କଥାରେ କାରଣ,

ଭୀରୁ ନୋହିଲେ କି ଆସିଥାନ୍ତ ପଣ ପଣ?’’

 

[୩୭]

ରେ ରେ କାର ରବେ କମ୍ପେ କାନନ ଗଗନ,

ଅସୁମାର ଅରି ଛେଦିଲେ ବହନ,

ଦେଖି ମୁକୁନ୍ଦର ରଣ,

ବରଗୀ ଭାଳିଲେ, -କଲେ ପ୍ରମାଦ ବରଣ ।

 

[୩୮]

ଜଣକୁ ଜଣେ ନ ପାରି ସେ ବରଗୀ ଜାତି,

ଏକାବେଳେ ଘେରିଗଲେ ବୀର ଚଉକତି,

ଷଣ୍ଢା ଭେଣ୍ଡା ଯେତେ ଥିଲେ,

ଜୀବନ ମରୁଛି ଖଣ୍ଡା ଧରି ଆକ୍ରମିଲେ ।

 

[୩୯]

ପଡ଼ିଲା ମୁକୁନ୍ଦ କରୁ ଝଡ଼ି ପ୍ରିୟ ଅସି,

ମାଳତୀରେ ବରଗୀ କେ ପଚାରଇ ହସି,

‘‘ଦେଖ ତୋର ପତି ଦଶା,

ଆଉ କି ରଖିଛୁ ତାର ପ୍ରାଣର ଭରସା ?

 

[୪୦]

ଏବେ ହେଲେ, କହ ଭଲେ ଆମ୍ଭ ତୁଲେ ଯିବୁ,

ନିର୍ଲ୍ଲଜ୍ଜକୁଛାଡ଼ି ଦେବୁ, ଜୀବେ ନ ମାରିବୁ;

ଗର୍ଜ୍ଜି କହିଲେ ମାଳତୀ,

‘‘କି ଭୟେ ଦେଖାଉ ମୋତେ ଆରେ ପାପମତି?

 

[୪୧]

ପତି ଜୀବ ଭିକ୍ଷା ମାଗି, ଡରିବି ମରଣେ,

ବୀର ନାରୀ ମାରି ଜାଣେ, ମରି ଜାଣେ ରଣେ,

ଧର୍ମ ଛାଡ଼ିଲା କି ସତେ ?

ନାହିଁ କି ତୁମ୍ଭର ମାତା ଭଗିନୀ ଜଗତେ ?

 

[୪୨]

ପବିତ୍ର ଶିବାଜୀ ବଂଶେ ଜନମ ବୋଲାଅ,

ନିର୍ଲ୍ଲଜ୍ଜପାପୀଏ ପଶୁ ପରି ବଞ୍ଚିଥାଅ,

ଗଲେ ଯିବ ପତି ଜୀବ,

ସତୀ ଅଭିଶାପୁଁ ଜଣେ ହେଲେ ନ ବର୍ତ୍ତିବ ।’’

 

[୪୩]

ଦେବୀ ବାଣୀ ଶୁଣି ପାପ-ବରଗୀ କୁହାଟି,

ସତୀ ଆଗେ ପତି ଅଙ୍ଗ ଖଣ୍ଡ ଖଣ୍ଡ କାଟି,

ହସି ପିଶାଚ ସମାନ,

କହେ କେ ‘‘ଏଥର ତୋର ଭାଜିଲା ତ ଟାଣ ?’’

 

[୪୪]

ପତିଲାଗି କ୍ଷଣ କାଳ ଝାଉଁଳି ମାଳତୀ,

କଟିରେ ଭିଡ଼ି କନ୍ୟାରେ ଚେତିଲେ ଝଟତି,

ଅଶ୍ୱୁଁ ଉତୁରି ଧାଇଁଲେ

କୁରାଳଚକ୍ର ବେଗରେ ଅସି ବୁଲାଇଲେ ।

 

[୪୫]

ପ୍ରଚଣ୍ଡ ଗର୍ଜନେ ଯଥା କୁପିତାଫଣିନୀ,

ଅସୁର ବିନାଶେ ଅବା ମହିଷ-ମର୍ଦ୍ଦିନୀ,

ଗଣ୍ଡା ଗଣ୍ଡା ଭେଣ୍ଡା ମୁଣ୍ଡ

ଦଣ୍ଡକରେ କାଟି ମହୀତଳେ କଲେ ରୁଣ୍ଡ ।

 

[୪୬]

ଏ କାଳେ କହିଲା କିସ କାହୁଁ ଜଣେ ଚର,

ବରଗୀଏଛାଡ଼ି ପଳାଇଲେ ରଣ ସ୍ଥଳ,

ଧାଉଁ ବିଜୁଳି ବେଗରେ,

ଝୁଖୁପଥେ କଣ୍ଟା, ଣ୍ଟାଣ୍ଟିଥୋକେ ପଡ଼ି ମଲେ ।

 

[୪୭]

ଅଚାନକ ଏ କି ହେଲା ସତୀ ନ ଜାଣିଲେ,

ପତି କଟା ଶିର ତୋଳି ବିକଳେ କାନ୍ଦିଲେ,

ଚୁମ୍ୱ ଦେଇ ବାର ବାର,

ଗଣ୍ଡ ଭରି ଝରି ପଡ଼େ ଶ୍ରାବଣର ଧାର ।

 

[୪୮]

ପଣତେ ଦେଖି ସେ ଅଛି ଶିଶୁର ଜୀବନ,

ଏତେ ଦୁଃଖେ କହେ ସାଧୁ ସାଧୁ ଭଗବାନ !

ବେଗେ କଲା ସ୍ତନ୍ୟ ଦାନ,

ସତୀରରୋଦନେ ସତେ କାନ୍ଦଇ କାନନ !

 

-ତିନି-

 

ସୁତ ବଧୂରେ କାନନେ ପଠିଆଇ,

ଚିତ୍ତ ଚଞ୍ଚଳ ମନରେ ସୁଖ ନାହିଁ ।

ସତେ ବିପଦୁ ତରିବ ମୋର ବଳା,

ଏତେ ସୁଦୟା କରିବୁ ‘‘ପରଗଲା !’’

 

ଆଣ୍ଟେ କିଳିଣି ଲଗାଇ ପୁର ଦ୍ୱାର,

ବାଣ୍ଟେ ଭାନୁ ତ ମନରେ ବାର ବାର।

ଚାର ମୁଖରୁ ଶୁଣି ସେ ସରଦାର,

ଘୋରକୋପରେ ହେବଣି ଜରଜର ।

 

ରାଇ ପାପ-ବରଗୀରେ କହିବଣି,

ଯାଇ ବେଗେ ମଙ୍ଗରାଜେ ଦିଅ ଆଣି ।

କହୁଁକହୁଁ ସେ ଦୁଆରେ ଶୁଭେ ଗୋଳ,

ବହୁ ଲୋକ ଡାକୁଛନ୍ତି, ‘‘ଖୋଲ, ଖୋଲ’’ ।

 

ଜାଣି ଶୁଣି ମଙ୍ଗରାଜେ କଲେ ମଠ,

ବାଣୀ ଭଣିଲେ ‘‘କିଏ ସେ କିପାଁ ହଟ ?’’

କହେ ‘‘ଆସ ହେ, ଡାକନ୍ତି ସରଦାର,

ସହେ ନାହିଁ ତ ଉଛୁର, ଖୋଲଦ୍ୱାର।’’

 

ବନ ପାର କି ହେବଣି ସୁତ ସତେ,

ମନ ମଙ୍ଗରାଜଙ୍କର ଭାଳେ ଏତେ ।

ଘରେ ପଶିବେ ଝସାଇବରଗୀଏ,

ଖରେ ଦେଖିବେ କୁଟୁମ୍ୱ ନାହିଁ କିଏ ।

 

ଡରେ ମନ ମୋ ଯେବେ ସେ ବାରି ପାରି,

ଚୋରେ ଧାଇଁବେ ବନରେ ପଛ ଧରି ।

ଭାଳି ଉଛୁର କରନ୍ତି ବୀରବର,

ଟାଳି ଦେବେ ବରଗୀ ତ ପୁରଦ୍ୱାର,

 

ବହୁ ସଇନୀ ଅଛନ୍ତି ହୋଇ ମେଳ,

ତହୁଁ ଉଛୁର ନ କରି ଆଉ ବେଳ ।

କରି ପ୍ରଣାମ, ସୁମରି ‘ପରଗଳା’

ଧରି ଅସିକିଚୁମ୍ୱିଲେବୀରବାଳା,

 

ଯାଇ କବାଟ ଫିଟାଇ ଉଭାରିଲେ,

‘‘କାହିଁ ପାଇଁକି ଆସିଛ’’ ପଚାରିଲେ ।

ଜଣେ ଗରଜି କହଇ, ‘‘ବେଗେ ଆସ,

କଣେ ପଶିଛୁ ଜୀବନେ ରଖି ଆଶ ?

 

ତୁ ତ ଗୁପତମାରଣା, ରାଜ-ଚାର,

ଭୂତ ଛାଡ଼ିବ, ଡାକୁଛି ସରଦାର ।’’

କହୁଁକହୁଁ ତ ବଚନ ଗଲା ବଳି,

ଚାହୁଁ ଚାହୁଁ ହେଲେ ଅସି ଚଲା-ଚଲି।

 

ବୀର ବୁଲାଇ ମାରିଲେ ଖର ଖଣ୍ଡା,

ଶିର ଭୂମିରେ ଲୋଟିଲା ଗଣ୍ଡା ଗଣ୍ଡା।

ରଡ଼ିବରଗୀପଞ୍ଛାଏବେଢ଼ିବାରୁ,

ଝଡ଼ିପଡ଼ିଲା କୃପାଣ ଭାନୁକରୁ।

 

ଯଥା ମଣିକୁ ହରାଇ ଅହିରାଜ,

ମଥା ନୁଆଁଇ ରହିଲେ ମଙ୍ଗରାଜ ।

ପଶି ପୁରରେ ବରଗୀଖୋଜି ହେଲେ,

‘‘ଖସି କୁଟୁମ୍ୱେ ବତାଅ କାହିଁ ଗଲେ ।

 

ଆଣି ଭେଟ ତୁ ତାହାଙ୍କୁ ଆମ୍ଭ ପାଶେ,’’

‘‘ଜାଣି ନାହିଁ’’ ବୋଲି ମଙ୍ଗରାଜ ଭାଷେ ।

ବନ୍ଦୀ କରି ନେଲେ ବାନ୍ଧି ପାଦ ପାଣି,

ଛନ୍ଦି ଗୁଡ଼ାଇ ରଜ୍ଜୁରେ ପୁଣି ଟାଣି

 

ବନ ପଥରେ କଣ୍ଟକ ବୋଧେ ଅଙ୍ଗେ,

ମନ-ଇଚ୍ଛା କଟୁ ଭାଷା ତହିଁ ସଙ୍ଗେ ।

ଘନ ବିଜୁଳି ସମାନ ଚମକାଇ,

ବନ, ହାତୀଏ ଆସିଲେ କାହୁଁ ଧାଇଁ ।

 

ଚାହିଁ ବରୀଗୀ ଗଣିଲେ ପରମାଦ,

କାହିଁ ପଳାଇ ବଞ୍ଚିବେ ତେଜି ବାଦ ।

ଏକା ତେଜି ସେ ଭାନୁରେ ଧାଇଁ ଗଲେ,

ଟେକା ପଥର ହାବୁଡ଼ିଥୋକେ ମଲେ ।

 

ବନେ ଥିଲାତ ପାରିଧି-ଅନୁରାଗ,

ମନେ ହାତୀଙ୍କ ପଡ଼ିଲା ତଡ଼ା ବାଗ ।

ପଡ଼ି ଗଡ଼ି ସେ ବିକଟ ରାବ କଲେ,

ରଡ଼ିଛାଡ଼ି ତ ହାତୀଏ କେଣେ ଗଲେ ।

 

କାନେ ପଡ଼ିଲା ମାଳତୀ କଣ୍ଠସ୍ୱର,

ଧାନେ ଉଛୁର ନ କରି ବୀରବର।

ପାଶେ ପଡ଼ିଛି ଦେଖିଲେ ତରବାରୀ

ଆଶେ, ଗଡ଼ି ସେ ଚଳିଲେ ବେଗ କରି ।

 

ଘସିହୋଇଲେପିଠେଇ କରି ଅସି ଧାରେ,

ରସି ଛନ୍ଦ କି ସହଜେ ତୁଟି ପାରେ ?

ତଡ଼ି ପ୍ରବେଶ ନୃପତି ଏ କାଳରେ,

ବେଡ଼ି ଉପରେ କୋରକାପରକାରେ

 

କରୀ ଡରରେ ଫେରିଲେ ଯେ ବରଗୀ,

ଧରି ମାରିଲେ ପାଇକେ ଜଗି ଜଗି,

ଯୋଗ ଏମନ୍ତ ପୁଣି ତ ଲିହିଥାଇ,

ଭୋଗପାଇଁତ କାହାରି ବଳନାହିଁ ।

 

ଘେରି ଥିଲେ ଯେ ବରଗୀ ମାଳତୀରେ,

ଫେରି ପଳାଉଁ କହେ କେ ‘‘ଆରତିରେ ।

‘‘ଯେବେ ଜୀବନେ ଅଛି ରେ ଲବେ ଆଶ,

ତେବେ ଛାଡ଼ି ଏ ନାରୀକି ଧାଇଁ ଆସ

 

ମାଡ଼ି ଆସନ୍ତି ପାଇକେ ଅସି କରେ,’’

ଛାଡ଼ି ଧାଇଁଲେ ପାପୀଏ ଜୀବ ଡରେ ।

ରାଗ ଜଳୁଛି ରାଜାର ପରଚଣ୍ଡ;

ବାଗ ପାଇ ସେ ହାଣିଲେ ଖଣ୍ଡ ଖଣ୍ଡ।

 

ବନେ ଖୋଜନ୍ତିକାହାନ୍ତି ସେନାପତି,

ମନେ ମନେ ତ ସନ୍ଦେହ ବଢ଼େ ଅତି ।

ଯାଇ ଭାନୁରେ ଭେଟି ସେ କି ଆନନ୍ଦ !

ଧାଇଁ କାଟିଲେ ଅସିରେ ରଜ୍ଜୁ ବନ୍ଧ ।

 

ରଙ୍କେ ମିଳିଲା ସତେ କି କୋଟି ନିଧି,

ଅଙ୍କେ ତୋଳିଲେରାଜନ ସେହି ବିଧି ।

 

-ଚାରି-

 

ମଙ୍ଗରାଜେ କାନ ପାରି            ମାଳତୀର କଣ୍ଠବାରି

ପାଶେ ହେଲେ ପରବେଶ ଯାଇ,

ଶ୍ୱଶୁରେନିରେଖି ବାଳା            ଶୋକ ସିନ୍ଧୁ ଉଛୁଳିଲା

ପତି କଟା ଶିର ଜାକି ଥାଇ ।

 

ଫାଟି ଯାଏ ଭାନୁ ଛାତି            ଆକୁଳେ ଅଧୀର ଅତି

ବହି ଯାଏ ଅଶ୍ରୁ ଧାର ଧାର,

କି ପାପ ମୁଁ ଥିଲି କରି            ବିଧାତା ରେ ! ନେଲୁ ହରି

ଏକା-ବୋଲିମୋର କଣ୍ଠ-ହାର ।

 

ଶୋକରେ ଅଧୀର ରାଜା            ଯେତେ ପାଇକ ପରଜା

ନୀର ଧାରେ ତିନ୍ତି ଗଲା ମହୀ,

ହାତ ପାଦ ଗଣ୍ଡିମୁଣ୍ତ            ହୋଇ ଅଛି ଖଣ୍ଡ ଖଣ୍ଡ

ଏ ମରଣ କେ ପାରିବ ସହି ?

 

ପୁଣି ମାଳତୀ ମୁଖରୁ            ଶୁଣିଲେ ସେ ଆରମ୍ଭରୁ

ଘଟି ଅଛି ଯେ ପ୍ରମାଦ ମାନ,

ଅନୁଭବ ଦୂରେ ଥାଉ            ଏସନ ବିପତ୍ତି ଦାଉ

ଶୁଣି ତ ନ ଥିବ କେବେ କାନ ।

 

ଶିଶୁ ପୌତ୍ତ୍ରୀ କରି କୋଳ            ଚୁମ୍ୱ ଦେଇ ବାର ବାର

ସମ୍ଭାଳିଲେ ଭାନୁ ନିଜ ମନ,

‘‘ସୁତ ବଦଳରେ ସୁତ-            ପାଇଛି,’’ କହନ୍ତି ‘‘ତୁ ତ

ବଧୂ ନୁହ, କୁଳର ନନ୍ଦନ ।’’

 

ପାଇକେ ଛାଡ଼ିଲେ ହୁରି            ‘‘ଦିଅ ମା ଚରଣ ଧୂଳି

ସାନ ନୁହେ ମାଆ ତୁ ସବୁରି,’’

ନେତ୍ରୁ ଝରେ ନୀରଧାର            କହନ୍ତି ମନ୍ଦରଧର

‘‘ରାଜଲକ୍ଷ୍ମୀ ଉତ୍କଳର ଶିରୀ ।’’

 

ସୁରପୁରେ-

ସୁନିଆଁ ମିଳନ

ସୂଚନା

 

ସୁନିଆଁଓଡ଼ିଶାର ଏକ ବିଶେଷ ପର୍ବାନୁଷ୍ଠାନ। ଆମ ଦେଶର ସ୍ୱାଧୀନ ନରପତିମାନେ ଏହି ଦିବସରେ ‘ଅଙ୍କ’ କାଟନ୍ତି।ଅଙ୍କକଟା ଅର୍ଥ- ସେମାନଙ୍କ ନାମରେ ବର୍ଷ ପ୍ରଚଳନ ।ସ୍ୱର୍ଣ୍ଣମୁଦ୍ରାଉପରେ ସେଦିନ ତତ୍‌କାଳୀନ ସମ୍ରାଟଙ୍କ ନାମୋଲ୍ଲେଖ ହୁଏ ।ସୁନିଆଁ ଶବ୍ଦର ଅନ୍ୟ ଏକ ପ୍ରକାର ଅର୍ଥ ସ୍ୱର୍ଣ୍ଣ ମୁଦ୍ରା । ଏହି ପବିତ୍ର ଦିବସରେ ଗୋଟିଏ ରାଜସଭା ବା ଦରବାର ଆହୂତ ହୁଏ । ପାତ୍ର, ମନ୍ତ୍ରୀ, ସେନାପତି, ପ୍ରାଦେଶିକ ଶାସକ, ଦଳାଇ, ଦଳବେହେରା, କବି, ପଣ୍ଡିତ, ରାଜନୀତିଜ୍ଞ ଇତ୍ୟାଦି ବିଶିଷ୍ଟ ନାଗରିକ ଓ ପ୍ରଜାମାନେ ସଭାରେ ଯୋଗ ଦିଅନ୍ତି । ବିବିଧ କଳା, କୃଷି ଓ ପଣ୍ୟଜାତଦ୍ରବ୍ୟମାନରଜାଙ୍କୁ ଭେଟି, କଳାକାରମାନେ ଉପଯୁକ୍ତ ପୁରସ୍କୃତ ହୁଅନ୍ତି ।ଓଡ଼ିଶାରେ ଏ ବିଧି ଓ ଦିବସ ଅବଧି ପ୍ରଚଳିତ । ଏହା ଅଙ୍କଗଣନାରେ ଓଡ଼ିଶାରେ ନୂତନ ବର୍ଷର ପ୍ରଥମ ଦିବସ । ବର୍ଷ-ଶୁଭାଶୁଭ, ସାହିତ୍ୟ, ସଂଗୀତ, ମଲ୍ଲଯୁଦ୍ଧ ଇତ୍ୟାଦିର ଆଲୋଚନା ଓ ପ୍ରଦର୍ଶନୀ ମଧ୍ୟ ଏଦିନହୋଇଥାଏ।

 

-ପରିସ୍ଥିତି-

ସେହି ଦରିବାରରଆୟୋଜନ। ଉତ୍କଳର ସ୍ୱର୍ଗତ ପୁଣ୍ୟାତ୍ମା କର୍ମ୍ମ-ଯୋଗୀ, ଓ ଯୋଗଜନ୍ମାମାନଙ୍କ ଉପସ୍ଥିତିରେ ଅମିତତେଜା ଚକ୍ରବର୍ତ୍ତୀ ସମ୍ରାଟ ଅନଙ୍ଗଭୀମ ଦେବଙ୍କର ଦରବାର । କେତେକ ବିଶିଷ୍ଟ ଅତିଥି ଆମନ୍ତ୍ରିତ ।ସଭାସ୍ଥଳରେମହାମନ୍ତ୍ରୀ ସେମାନଙ୍କର ବିଶେଷ ପରିଚୟ ଜ୍ଞାପନ କରୁଅଛନ୍ତି ।ସ୍ୱୟଂ ଗଜପତି ମହାରାଜ ତାଙ୍କର ପ୍ରିୟ ଓଡ଼ିଶାର ଭବିଷ୍ୟତ ଜାଣିବାକୁ ଉତ୍କଣ୍ଠିତ ।

 

ବ୍ୟବସ୍ଥାପନା

ସ୍ଥାନ-ସୁରପୁରୀ।ଜ୍ୟୋତିର୍ମଣ୍ଡଳ ମଣ୍ଡିତ ଅପୂର୍ବ ରତ୍ନସିଂହାସନରେ ଉପବିଷ୍ଟ ଗଜପତି ମହାରାଜ ଶ୍ରୀ ଶ୍ରୀଶ୍ରୀ ଅନଙ୍ଗଭୀମ ଦେବ । ଅନ୍ୟାନ୍ୟ ବିଶିଷ୍ଟ ମନୀଷୀବୃନ୍ଦ ଯଥାସ୍ଥାନରେ ଉପବିଷ୍ଟ ।ମହାମନ୍ତ୍ରୀକୁଳବୃଦ୍ଧ ମଧୁସୂଦନ, ନିମନ୍ତ୍ରିତ ବିଶିଷ୍ଟ ଆଗନ୍ତୁକମାନଙ୍କର ପରିଚୟ ପ୍ରଦାନ କରୁଛନ୍ତି । ପ୍ରବେଶ କଲେ- ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର-

 

ସୁରପୁର-

ସମାରୋହେସୁନିଆଁ ପାଳନ,

ସମବେତ ଯେତେ ଥିଲେ ଉତ୍କଳ-ନନ୍ଦନ ।

 

ଦରବାର-

ମଣ୍ଡିଛନ୍ତି ଉତ୍କଳ-କେଶରୀ,

ସମ୍ରାଟ ଅନଙ୍ଗଭୀମ ଦିଗ୍‌ବିଜୟ ସାରି ।

 

ରାଜବିଧି-

ମନ୍ତ୍ରୀପଣେ, ଶ୍ରୀ ମଧୁସୂଦନ,

ଆଗନ୍ତୁକେ ଚିହ୍ନାଇଲେ କରି ଜଣ ଜଣ।

 

‘‘ମହାରାଜ !

ଏ ଆପଣ ପଠାଣି ସାମନ୍ତ,

ପୃଥିବୀରେ ଶୁଭ ନାମ ଅଦ୍ୟାପି ଜୀବନ୍ତ ।

ଗ୍ରହ ମଣ୍ଡଳରେ ସଦା ଏହାଙ୍କର ବାସ,

ଆସିଛନ୍ତି ଭେଟିବାକୁ ଶ୍ରୀଛାମୁ ସକାଶ ।

 

ଆଗଙ୍ଗ ବିସ୍ତୃତ ଭୂମି ଗୋଦାବରୀ ଯାଏ,

ଯାହାଙ୍କ ଛତ୍ର ତଳରେ ଉତ୍କଳ ବୋଲାଏ।

ସେହି ସେ ଆପଣ, ତେଣୁ ଛାମୁ ଦରଶନ,

ସଉଭାଗ୍ୟେ ଘଟାଇଛି ସୁନିଆଁ ମିଳନ ।

 

ଚନ୍ଦ୍ରଶେଖର ସାକ୍ଷାତେ ଏ ଚନ୍ଦ୍ରଶେଖର,

ଯୋଗସିଦ୍ଧ ପୁରୁଷ ଏ ନଶ୍ୱରବିଶ୍ୱର।

ବାଉଁଶ ନଳୀରେ ସୌର ମଣ୍ଡଳ ରଖନ୍ତି,

ଲୋଡ଼ି ତ ନାହାନ୍ତି ଦିନେ ହେଲେ ଯନ୍ତ୍ରପାତି ।

 

ଦୁଃଖ-ରାଜା ଉଆସରେ ପାତ୍ର ପଣ କରି;

ଦିନ ଗଲା, ନ ଘେନିଛି ଉତ୍କଳ ଆଦରି ।

ଏହିସେ ଏହାଙ୍କ ଅଙ୍କେ ପଞ୍ଜିକା ଗଣନ,

ଆଜି ତ ଏହାଙ୍କ ମତେ ସୁନିଆଁ ପାଳନ ।

 

ଲକ୍ଷ୍ୟ କରିଥିଲେ ଗ୍ରହସ୍ଥିତି ଗଗନରେ,

ଦିଖଣ୍ଡି କାଠିରେ ମାପି, ଅଙ୍କ କଳଣରେ।

ସିଦ୍ଧାନ୍ତ ଦର୍ପଣ କର୍ତ୍ତା ଏହି ମହାଜନ,

ସୌର ଲୋକେ ଆଜି ଆସି କରନ୍ତି ବିଶ୍ରାମ ।

 

‘‘ଆସନ୍ତୁ ମନୀଷୀ !’’

ମହାରାଜ, ହସହସ,

ସମାଦରେ ଘେନି ବସାଇଲେ ନିଜ ପାଶ ।

ଆପଣା ଭୂମିରେ ଗୁରୁ-ଗୌରବ ନ ଥାଏ,

ଦୂର ପର-ଦେଶେ ସିନା ବିଜ୍ଞ ପୂଜାପାଏ।

 

ବୀର ପୂଜା ଶିଖିବାକୁ ବାକି ଅଛି କାଳ,

ଆଜି ମଧ୍ୟ ବହୁପଛେ ପଡ଼ିଛି ଉତ୍କଳ ।’’

ମଧୁସୂଦନଙ୍କ ଆଡ଼େଫରାଇ ନୟନ,

ସାମନ୍ତରେ ମହାରାଜ କହିଲେ ଏସନ :-

 

ମଧୁବାବୁ-

ଜାଣିଥିବେ ଏହାଙ୍କୁ ଆପଣ,

ଆଜି ଯା ଭାରତେ ଘଟେ ଅପୂର୍ବ ଘଟଣ,

ଉଦ୍ଭାବନ କରିଥିଲା ଏହାଙ୍କ କଳ୍ପନା,

ରୂପରେଖ ଦେଇଅଛି ଦାସଙ୍କ ସୂଚନା ।

 

ଗଢ଼ିଥିଲି ଯେ ଉତ୍କଳ ନିଜ ବାହୁ ବଳେ,

ଖଣ୍ଡ ଖଣ୍ଡ ଦେଖ କାଳର କବଳେ ।

ଏଇ ମଧୁବାବୁ ! ମୁଣ୍ଡ ଗଣ୍ଡିଯୋଡ଼ ପାଇଁ,

ଡାକି ଡାକି ଦେଇଛନ୍ତି ଦିହକ ଗମାଇଁ।

 

ଅର୍ଜିଛନ୍ତି ବହୁଧନ, କଙ୍ଗାଳ ଶେଷରେ,

ଗଙ୍ଗା କୂଳେ ଥାଇ ଦିନ ଯାଇଛି ଶୋଷରେ।

ଏଇ ମଧୁବାବୁ ! ଜାତି ଯାହାଙ୍କ ଧିଆନ,

ଉତ୍କଳରେ ସମ୍ମିଳନୀ ଯାହାଙ୍କ ଭିମଣ।

 

‘‘ଜାଳି ଜାତି ପ୍ରେମ-ବହ୍ନି ସ୍ୱାର୍ଥଆହୁତିରେ’’

ଯଜ୍ଞ ରଚିଥିଲେ ପରା ଉତ୍କଳ ଛାତିରେ ।

‘‘ଆଲୋସଖି ! ରଖ ଆପେ ଆପଣା ମହତ ।’’

ସମ୍ମାନ ରକ୍ଷଣେ କହୁଥିଲେ ଯେ ସତତ ।

 

ଏଇ ସେଇ ମଧୁବାବୁ, ଜାଣିଥିବେ ତାଙ୍କୁ,

ଚିହ୍ନାଇ ଦେବାକୁ ଆଉ ଅଛି କି ଏହାଙ୍କୁ ?

ଯାହା ନିର୍ଦ୍ଦେଶରେ ଆଜି ସ୍ୱାଧୀନ ଭାରତ,

ଆସିଛନ୍ତି ସେ ତ, ଥରେ ତାଙ୍କୁ ପଚାର ତ

 

ଜନ-ଜାଗରଣକାରୀ ନୁହନ୍ତି କି ମଧୁ,

ନୁହନ୍ତି କି ଚିରକାଳ ଦୀନଜନବଂଧୁ?

ଛତ୍ରହୀନ ପରିତ୍ୟକ୍ତ ମୋର ସିଂହାସନ,

ଏହି ତ ସେ ମଧୁବାବୁ ରଖିଲେ ସମ୍ମାନ !

 

ଏହି ତ ଶିଖାଇ ଥିଲେ ‘ମସ୍ତକ ଅଙ୍ଗୁଳି,’

ଉର୍ବର କରଇ ଦେଶ ଏକ ସଙ୍ଗେ ମିଳି ।

କଲାର ସଂସ୍କୃତି ତୁଲେ ସ୍ୱାଧୀନ ଭାବନା,

ସଂଯୋଗ କଳ୍ପନା କଲେ ଏହି ମହାମନା।

 

ଯୁଗର ଜନତା ପାରି ନ ଥିଲା ଆଦରି

ଉଚ୍ଚତର ଥିଲା ଚିନ୍ତା, ଗୂଢ଼ ଭାବ ଧରି ।

ଅନ୍ତକାଳେ ବିଭୁପଦ ସ୍ମରଣ ବଦଳେ,

‘‘ମୋଓଡ଼ିଆ ମାଆ’’ ବୋଲି ମୁଖରୁ ବାହାରେ

 

ଘଡ଼ିଘଡ଼ି ଦେଇଥିବା ଉପଦେଶ ମାନ,

ଚିହ୍ନିଲା କି କେହି ତାଙ୍କୁ ? ପାଳିଲା କି ଜନ ?

‘ପୂଜି ଶିଖି ନାହିଁ ନିଜ ନନନୀ ପୟର,

ସେ କାହୁଁ ଜାଣିବ ଜନ୍ମ ମାଟିର ଆଦର ?’

 

ଏ ତ ସେହି ମଧୁବାବୁ କହିଥିଲେ ପଦେ,

ଭତ୍ତା-ଖିଆ ମନ୍ତ୍ରୀପଣ ଫିଙ୍ଗି ଦେଇ ପଦେ ।

ଆସି ଏବେ ବିଶ୍ରାମରେ ମୋର ମନ୍ତ୍ରୀ ପଣ-

ବରିଛନ୍ତିସ୍ୱଇଚ୍ଛାରେଶ୍ରୀମଧୁ ସୂଦନ

 

କିଅବା ନାହାନ୍ତି ଜାଣି ସାମନ୍ତ ଆପଣେ ?

କହିଗଲି ବହୁତ ମୁଁ ପ୍ରଗଳଭ ପଣେ ।

 

‘‘ମହାରାଜ !’’

ଉତ୍ତରିଲେ ପୁଣି ମଧୁ ଦାସେ

‘‘କରିଅଛି ଯାହା ମୋର କର୍ତ୍ତବ୍ୟ ପରା ସେ ?

ତିଳେ ହେଲେ ଗୁଣ, ଦିଶେ ତାଳ ପରକାର,

ଏ ଅଟେ ଲକ୍ଷଣ,-ଗୁଣୀ, ଗୁଣ ଗ୍ରାହକର ।

 

ତେଣୁ ସିନା ଛାମୁ ଯଶ ଗାଏ ନିତି ତୁଣ୍ଡ;

ଛାମୁ-ପଦେ ଛାଏଁ ଛାଏଁନଇଁଯାଏ ମୁଣ୍ଡ ?

ମୋ ତହୁଁ ଅଧିକେ ଦାନକରିଛନ୍ତି ଜନ’

ରକ୍ତବିନ୍ଦୁ ଢାଳି ରଖିଛନ୍ତି ମାଆ ମାନ ।

 

ବରିଛନ୍ତି ବୀର ବନ୍ଦୀଶାଳା ବାର ବାର,

ଦୁଃଖୀ ଲାଗି ଢାଳିଛନ୍ତି ନୟନରୁ ଧାର ।

ଜାଗର ଯାମିନୀ ପାହିଛି ଜୀବନେ,

ସ୍ୱର୍ଣ୍ଣ-ଦେଶ ଦେଖିଛନ୍ତି ସ୍ୱପନେ-ନୟନେ।

 

‘ସ୍ୱାର୍ଥ’ ବୋଲି ପଦ ଯାର ନ ଥିଲାଟି ମନେ

ଏହି ସେ ଆସନ୍ନ ‘ଦାସେ’ ଛାମୁଁଦରଶନେ।’’

 

ସାମନ୍ତ କହିଲେ :-

‘‘ଓହୋ ! ଚିହ୍ନିଛି, ଚିହ୍ନିଛି,

ଗଣନାରେ ଏହାଙ୍କର କୋଷ୍ଠୀ ମୁଁ ଦେଖିଛି ।

ଡାକନାମ ‘‘ଗୋପବନ୍ଧୁ’, କିନ୍ତୁ ମୁଁ ତ ଜାଣେ,

‘ଦୀନ-ବନ୍ଧୁ’ ବୋଲି ତାଙ୍କୁ ତାତକ ପ୍ରମାଣେ ।

ବାଳୁତରୁ ତାଙ୍କୁ ତେଜିଗଲେ ଜନ୍ମ-ଦାତ୍ରୀ,

ଚିହ୍ନିଥିଲେ ଦାସେ ଜନ୍ମ-ମାଟି, -ଜୀବଧାତ୍ରୀ।’’

 

‘‘ଆସନ୍ତୁ,

ବସନ୍ତୁ ଦାସେ ! ଉତ୍କଳର ମଣି,

ଘେନନ୍ତୁ ପ୍ରମାଣ’’ ବୋଲି ମହାରାଜ ଭଣି-

 

ନିର୍ଦ୍ଦେଶିଲେମନ୍ତ୍ରୀବରେ ଦେବାକୁ ଆସନ,

ଗୋପବନ୍ଧୁ ଦାସେ କଲେ ମଧୁଙ୍କୁ ସମ୍ମାନ ।

 

‘‘ବସ, ବସ ବାବୁ ! ବହୁଦିନୁ ଦେଖିନାହିଁ’’

କହି ମଧୁ ବାବୁ ଦେଲେ ଆସନେ ବସାଇ ।

‘‘ବାକିଥିଲାବହୁକାର୍ଯ୍ୟ ଆସିଥିଲି ଚାଲି,

ତୁମ୍ଭେ ଅଛ ବୋଲି ସିନା ନିଶ୍ଚିନ୍ତରେ ଖାଲି ।

 

ଲୁଣ ଲାଗି, ପାଣି ଲାଗି, ଲଢ଼ିଛ ବହୁତ,

ଦେଖିଲି ମୁଁ ଉତ୍କଳରେ ତୁମ୍ଭେ ବୀର ସୁତ ।

ଦୂରୁଦେଖେଁ, ଆନନ୍ଦରେ ହୁଏଁ ଆତ୍ମହରା,

ଢାଳୁଥାଏଁ ଶିରେ ଆଶୀର୍ବାଦ ମନଭରା।

 

ତୁମ୍ଭଙ୍କୁ ମୁଁ ଯେତେବେଳେ ଦେଖିଦିଏଁ ଦାସେ,-

ରଣଚଣ୍ଡୀ ମୂର୍ତ୍ତି ଧରି ନଦୀ, ବର୍ଷା-ମାସେ,

ଭଉଁରୀ ଲହରୀ ଘେନି ଦୁଇ କୂଳ ଲଙ୍ଘି,

ପ୍ରଚଣ୍ଡ ତାଣ୍ଡବ ଲୀଳା ରଚଇ ମାତଙ୍ଗୀ,

 

ବଜାଏ ସଘନେ ଘନ ଡମ୍ୱରୁଚଡ଼କ

ପ୍ରଭଞ୍ଜନ ଘୂର୍ଣ୍ଣୀ ଘେନି ଦିଅଇ ଧମକ ।

 

ଚମକି ଚପଳା ଦେଖୁଥାଏ ବିଶ୍ୱ-ବେଶ,

ମେଘ ମାଳା ଧାଏଁ ମେଲି ମୁକୁଳିତ କେଶ ।

 

ଚମକିତ ବିଶ୍ୱମ୍ଭରା କମ୍ପେ ଥର ଥର,

ଦେଖିଛି ତୁମ୍ଭଙ୍କୁ- ତିଳେ ନ ଥାଏ ଖାତର ।

ଅଥଳ ଅକୂଳେ ମେଲି ଦେଇଥାଅ ନାଆ,

ବନ୍ୟ-ପ୍ରପୀଡ଼ିତ ଜନେ ହେବ ବୋଲି ସାହା ।

 

ଦେଶର ଜାତିର ତୁମ୍ଭେ ଗୌରବ କେତନ,

ଅର୍ଜିଥିଲ ଜୀବନରେ ଯେତେ ଯାହା ଧନ,-

ଦେଇତ ଆସିଛି ସବୁ ଜନ-ସେବାପାଇଁ,

ଯିବା ଆସିବାରେ ତୁଚ୍ଛା ହାତ ଦୋହଲାଇ।’’

 

‘‘ଏ ଗୌରବ ନୁହେଁ ମୋର ହେ ମଧୁସୂଦନ !

ଜୀବନେ କରିଛି ମାତ୍ର ନିର୍ଦ୍ଦେଶ ପାଳନ ।

ତୁମ୍ଭେ ସିନା ଗୁରୁ, ଅନ୍ଧ-ନୟନ-ଅଞ୍ଜନ,’’

କହନ୍ତି ବିନୟି, ଦାସେ’’ ସବୁ ତୁମ୍ଭ ଦାନ ।

 

ଦେଇଛ ପ୍ରେରଣା, ତୁମ୍ଭେ ଉତ୍କଳର ପିତା,

ତୁମ୍ଭ ପଦଧୂଳି କରି ମସ୍ତକର ଚିତା-

 

ଆଜି ଉତ୍କଳୀଏ ଦୂର ଦେଶେ ଗଣ୍ୟ ମାନ୍ୟ,

କୋଳରେ ତୁମ୍ଭଙ୍କ ଧରି ମାତୃଭୂମି ଧନ୍ୟ ।

 

ସେବାବ୍ରତ ତୁଲେ ଶୁଦ୍ଧ ରାଜନୀତି ଶିକ୍ଷା,

ଉତ୍କଳେ ଯେଉଁଠି ଯାହା ସେ ତ ତୁମ୍ଭ ଦୀକ୍ଷା ।’’

ଫୁଟିଗଲା ମଧୁ ମୁଖେ ସନ୍ତୋଷର ହାସ,

କହିଲେ, ‘‘ପ୍ରଶଂସା କେତେ ଗାଅ ? ଦାସେ ବସ ।

 

ବୟୋବୃଦ୍ଧବୋଲି ଅବା କହିଥିବି କିଛି,

ସେଥିକି ପ୍ରଶଂସା ମୋର କର ବସି ? ଛି, ଛି,

ନିଜ ନିଷ୍ଠାବଳେ ତୁମ୍ଭେ ନିଜେ ମହୀୟାନ,

ଉପଦେଶ ଯାହା ମୋର ସେ ଅତି ନଗଣ୍ୟ ।

 

ଉଜ୍ଜ୍ୱଳ ନୟନେ ବିଶ୍ୱ ଦିଶଇ ଆଲୋକ,

ପକ୍ଷ ପାଇ ପକ୍ଷୀ ବୋଲି ମଣି ଝଡ଼ିପୋକ !

ଏଣେ ଦେଖ, ଏଣେ ଦେଖ, କିଏ ସେ ଆସନ୍ତି,

କର୍ମ୍ମମୟଦିବ୍ୟତେଜେଜଟକଇ କାନ୍ତି ।

 

ମହାରାଜ !

ଏ ଆପଣ ଗଉରୀ ଶଙ୍କର,

ତୋଳିଛନ୍ତି ଭାଷା-ରାଜ୍ୟେ ଗଉରୀ-ଶଙ୍କର ।

ବଙ୍ଗୀୟ ଓଢ଼ଣା ତଳେ ଭୁଲି ନିଜ ଢଙ୍ଗ,

ହୋଇଥାନ୍ତାକଳାମୟୀ ଉତ୍କଳ ବିଭଙ୍ଗ ।

 

ଓଡ଼ିମମାମର ପୂଜା କରୁଥାନ୍ତେ ପୁଏ

ବଙ୍ଗଳା ସ୍ତବରେ-ଏତ ଅଳ୍ପ କଥା ନୁହେ।

ଏହି ତ ଭିଡ଼ିଲେ ଅଣ୍ଟା ବାହାରିଲେ ଆଗ,

ଛୁଇଁ ନ ପାରିଲେ କେହି ଜନନୀର ଅଙ୍ଗ ।

 

ଓଡ଼ିଆ ରହିଛି ତାଙ୍କ ଋଣର ଲାଗୁଆ,

ମୁଦ୍ରାଯନ୍ତ୍ର ପ୍ରଚଳନେ ସେ ପରା ଆଗୁଆ ?

‘ପ୍ରାଚୀନ ସାହିତ୍ୟ ସିନା ପୈତୃକ ସଂପତ୍ତି

ରକ୍ଷଣ ବର୍ଦ୍ଧନ କରେ ସୁଯୋଗ୍ୟସନ୍ତତି।’

 

କହିଥିଲେ ନିଜେ, ପୁଣି କରିଥିଲେ କର୍ମ୍ମେ,

ଅଜସଅଜାଡ଼ିଛନ୍ତି ଧନ, ଦାନ ଧର୍ମ୍ମେ।

ରଖିଛନ୍ତି କୀଟଭୁକ୍ତପୋଥିର ଗୌରବ

‘ଦୀପିକା’ ରେ ପ୍ରକାଶିଲେ ଜନ-ମନ-ଭାବ ।

 

ନିର୍ଭୀକ ଲେଖକ, କବି, ସଂଗୀତ-ରସିକ,

ନମସ୍ତେ ହେ ଗୁରୁଦେବ ! ସ୍ୱଦେଶ ପ୍ରେମିକ ।’’

ମଧୁଙ୍କମୁକରୁ ଶୁଣି ଅଜସ୍ର ପ୍ରଶଂସା,

କହିଲେ ଗୌରିଶଙ୍କର ଦେଇ ଦରହସା-

 

‘‘ମଧୁ ! ମନେ ରଖି ଅଛ, ତୁମ୍ଭେ ମୋର ଛାତ୍ର ?

କିବା ଶିକ୍ଷା ଦେଇଥିଲି ? ଦିନ ପଞ୍ଚ ମାତ୍ର !

ଏହି ଭକ୍ତି, ଏ ନମ୍ରତା, ଏ ବିନୟ ମନ୍ତ୍ରେ,

ବଜାଇଛ ବୀଣା ଉତ୍କଳୀରମର୍ମ୍ମ ଯନ୍ତ୍ରେ ।’’

 

ଗଜପତି ହସି ହସି କହିଲେ ଏମନ୍ତ,

‘‘ଗୁରୁ-ଶିଷ୍ୟ ବିବାଦ ତ ବଡ଼ ପ୍ରାଣବନ୍ତ !

ଗୁରୁ ଗୁଣେ ଗୁରୁ, ଶିଷ୍ୟ ଗୁଣେ ଶିଷ୍ୟ ବଡ଼,

ଯେ ଯାହା ବଳରେ ଜିଣି ଆସିଛ ତ ଗଡ଼ ।’’

 

ସାମନ୍ତ କହିଲେ, ‘ବେନି କୋଷ୍ଠୀ ଫଳାଫଳ

କର୍ମୀ, ଯୋଗୀ ମଧ୍ୟ ସାନ ବଡ଼ କେ ବିଚାର ।

ତହିଁ ପୁଣି ବସିଛନ୍ତି ତ୍ୟାଗୀ ପଣେ ଦାସେ,

ଅଧିକ ଊଣା କାହାକୁ ନ ଆସେ ମାନସେ ।

 

ମୀମାଂସା ପୂରଣ ଛାଡ଼ ଭବିଷ୍ୟତ ହସ୍ତେ

ବଂଶତରୁ ବିଚାରନ୍ତୁ କେ ଅବା କେମନ୍ତେ ।

ଜାଣିବାକୁ ଏ ମିଳନେ ଛାମୁ ଅଭିପ୍ରାୟ,

ଅପେକ୍ଷାରେ ବସିଛନ୍ତି ପରା ସୁଧୀଚୟ !’’

 

‘‘ହେ ସାମନ୍ତ !

ଗ୍ରହରାଜ୍ୟେ କରନ୍ତି ନିବାସ,

ଉତ୍କଣ୍ଠିତ ଚିତ୍ତ ମୋର କରିଅଛି ଆଶ ।

ବହୁ ଯତ୍ନେ ପୁଣି ସ୍ୱାଧୀନତା ପାଇ ଦେଶ

ସ୍ୱପ୍ନହୋଇଅଛି ସତ୍ୟ, ଦ୍ୱିଧା ନାହିଁ ଲେଶ ।

 

କରିଥିଲି ଯେ ଭୂମିରେ ଅଙ୍କୁର ରୋପଣ

ସେ ଉତ୍କଳ ଭବିଷ୍ୟତ ଜାଣିବାକୁ ମନ ।

ଜଗତ ବିଦିତ ଜ୍ୟୋତିର୍ବିଦ ତ ଆପଣ,

ଗଣନା କରି କହନ୍ତୁ ଶୁଭାଶୁଭମାନ।

 

ବସିଛନ୍ତି ଉତ୍କଳର ସେବକ ସନ୍ତାନ,

ଶୁଣିବେ ସମସ୍ତେ’’ ନୃପ କହିଲେ ଏସନ ।

 

‘‘ମହାରାଜ !

ଦିଶୁଅଛି ଯାହା ଭବିଷ୍ୟତ ।’’

ସାମନ୍ତେ କହିଲେ ‘‘ଠିକେ କରୁଛି ବ୍ୟକତ

ଉତ୍କଳ ଲୋଡ଼ୁଛି ପୁଣି ଯୋଗୀର ସାଧନ

ଲଭିବାକୁ ପୂର୍ବ ଯଶ ପୁରାଣ-ସମ୍ମାନ ।

 

ହେ ଅନଙ୍ଗଭୀମ ! ଛତ୍ରପତି ମହାବଳ !

ପାଶୋରି ନ ଦିଅ ମନୁ ଛାମୁଙ୍କ ଉତ୍କଳ ।

ସେ ଉତ୍ସାହ ଉନ୍ମାଦନା ଭରିଦିଅ ମୁଣ୍ଡେ

ଉତ୍କଳର ଯଶୋଗୀତି ଫୁଟୁ ତୁଣ୍ଡେ ତୁଣ୍ଡେ।

 

ଦିଶୁଅଛି ଯାହା ଭବିଷ୍ୟତ, ବର୍ତ୍ତମାନ,

ଶୁଣନ୍ତୁ ଶ୍ରୀଛାମୁ, ଆଉ ସଭାସଦ ଗଣ ।

ସ୍ୱାଧୀନ ସନ୍ତାନେ ଏବେ ଢାଳି ମନପ୍ରାଣ

ମାତୃ-ଭୂମି ଉତ୍କର୍ଷରେ ଦେଲେଣି ଧିଆନ।

 

ହେବ ବଂଶବୃଦ୍ଧି, ଲୋଡ଼ା ହେବ ଅନ୍ନ ବସ୍ତ୍ର

କର୍ମ୍ମବୀରେ ଆଗଭରି କରେ ନେବେ ଅସ୍ତ୍ର ।

ଲୋଡ଼ା ହେବ କୃଷି, ଶିଳ୍ପ, ବାଣିଜ୍ୟ ବ୍ୟବସ୍ଥା,

କହୁଅଛି ଭବିଷ୍ୟତ ଦିଶୁଛି ସେ ସଂସ୍ଥା ।

 

ବାପୀ, କୂପ, ତଡ଼ାଗରେ ଦେଶ ଯିବ ଭରି,

ନ ରହିବେ ଦେଶେ କେହି ଅକର୍ମ୍ମଣ୍ୟ ସରି ।

ଚେତି ଅଛି ଏବେ ଜାତି, ନୀତି-ସଂଗଠନ

ଲୋଡ଼ିଲେଣି ଜନେ ପୂର୍ବ ଶିକ୍ଷା-ପୀଠମାନ।

 

ଋଗ୍‌ଣ, ଅସମର୍ଥ ଲାଗି ଆଶ୍ରୟ ଭବନ,

ଠାବେ ଠାବେ ରଚି ଦେବ ଜନତାର ଧନ ।

ଉତ୍ତର ପଶ୍ଚିମ ଦିଗେ ଜଳର ଭଣ୍ଡାର

ଅଚିରେ ହୋଇବ ସାହା ଧନ ସଂପଦର ।

 

ମହାନଦୀ ବକ୍ଷେ,-ମୋତେ ଦିଶେ ଜଳ ଜଳ

କୃଷି ଲାଗି ଅନାଟନ ନ ହୋଇବ ଜଳ ।

ସୃଜଲା, ସୁଫଲା, ଶ୍ୟାମ ହେବ ଏ ଉତ୍କଳ

ଦେଖିବ ଜଗତ- ଚିର ଛବିଳ ସୁନ୍ଦର ।

 

କୁଟୀରେକୁଟୀରଶିଳ୍ପ ହେବ ଉଦ୍‌ବୋଧନ

ପର ଦେଶେ ଯିବ ନାହିଁ ଭାସି ଘରଧନ।

ଚତୁର୍ଦିଗେ ଭରିଯିବ ଶିଳ୍ପ-ପ୍ରତିଷ୍ଠାନ,

ସାରା ଦେଶ ପ୍ରତେ ହେବ ଜାଗ୍ରତ ସମାନ ।

 

ଭେଦଭାବ ଭୁଲି ମନୁ ଶାନ୍ତି ନୀତି ଧରି

ଅଶୋକ ମନ୍ତ୍ରରେ ଜନେ ନେବେ କାଳ ହରି ।

ମଧୁ, ଗୋପବନ୍ଧୁ ଆଶା ସଫଳ ହୋଇବ,

ନବ ଭାନୁ ନଭପଟେ ଅଚିରେ ଉଇଁବ ।

 

ଦିଶେ ମୋତେ ଉତ୍କଳର ଭବିଷ୍ୟ ଉଜ୍ଜ୍ୱଳ,

ସୁର ପୁରୁଁ ଢାଳ ସର୍ବେ ଆଶୀର୍ବାଦ ଜଳ ।

ଅଛି ପଦେ ଶ୍ରୀଛାମୁରେମୋର ନିବେଦନ

କରିଥିଲେ ଶ୍ରୀମନ୍ଦିରଗଢ଼ାସଂପୂରଣ,

 

ପୁଣି ଶ୍ରୀମନ୍ଦିର ଚୂଳେ ଉଡ଼ୁ ଜୟ-ବାନା,

ପୁଣି କହୁ ‘‘ପତିତ ରେ ! ନାହିଁ ତୋ ଭାବନା’’

ଦେଖୁ ବିଶ୍ୱ ଏଥି ସର୍ବ ଧର୍ମ୍ମସମନ୍ୱୟ

ଉତ୍କଳର ଯଶ କୀର୍ତ୍ତି ରାଜିବ ଅକ୍ଷୟ ।

 

ଶ୍ରୀଛାମୁ ଆଶିଷେ ଦେଶେ ବଳ ଯିବ ଭରି

ଅନାନ୍ତୁ ଉତ୍କଳେ ଆଉ ଥରେ ଦୟାକରି ।

କର ଆଶୀର୍ବାଦ ଛାମୁ ହେ ଅନଙ୍ଗଭୀମ !

ଧନେ, ଜନେ, ମାନେ ହେଉ ଉତ୍କଳୀ ଅସୀମ ।

 

କଲା-ମଞ୍ଜୁଷା ଏ ଦେଶ ହେବ ଶୋଭାମୟ

କଣ୍ଠେ କଣ୍ଠେ ଭରିଯିବ ଉତ୍କଳର ଜୟ ।’’

 

(ସଭାସଦ ବର୍ଗ ସାମନ୍ତଙ୍କୁ ସାଧୁବାଦ ଜ୍ଞାପନ କଲେ, ଅଜସ୍ର କରତାଳି ନାଦରେସଭାସ୍ଥଳୀ ଉଛୁଳି ଉଠିଲା- ସଭା ଭଙ୍ଗ ହେଲା)

ସମ୍ପୂର୍ଣ୍ଣ

********

 

ସଙ୍କେତ

 

୧ । ଚନ୍ଦ୍ରିକା-

ବନ୍ଦୀ ଭାରତର ପରାଧୀନତା-ଅନ୍ଧକାର ଦୂର କରିଛନ୍ତି ପୂଜନୀୟ ‘ବାପୁଜୀ’- ଚନ୍ଦ୍ରିକାର ବିକାଶରେ ଯେପରି ଅମାନ୍ଧକର ଅପସାରିତ ହୁଏ । କବିତାଟି ମହାମାନବ ଗାନ୍ଧିଜୀଙ୍କ ଉଦ୍ଦେଶ୍ୟରେ ।

 

୨। ସାରଥି-

ମହାଭାରତ ଯୁଦ୍ଧାରମ୍ଭ ପୂର୍ବେ କୁରୁ ଓ ପାଣ୍ଡବପକ୍ଷ ଶ୍ରୀକୃଷ୍ଣଙ୍କର ସାହାଯ୍ୟପ୍ରାର୍ଥୀହୋଇଥିଲେ।ଦର୍ପାନ୍ଧଦୁର୍ଯ୍ୟୋଧନ କ୍ଷମତା, ଐଶ୍ୱର୍ଯ୍ୟ ଓ ରାଜତ୍ୱ ଗର୍ବରେ ଶ୍ରୀକୃଷ୍ଣଙ୍କ ଶିରୋଦେଶରେ ଏବଂ ବିନୟୀ ଭକ୍ତ ଅର୍ଜୁନ ପଦତଳେ ଥାଇ ଯଥାକ୍ରମେ ଶ୍ରୀକୃଷ୍ଣଙ୍କର ସେନାବାହିନୀ ଓ ସ୍ୱୟଂ ଶ୍ରୀକୃଷ୍ଣଙ୍କୁ ନିଜ ନିଜ ପକ୍ଷ ଲାଗି ପାଇଥିଲେ । ଅର୍ଜ୍ଜୁନ ସୃଷ୍ଟିକର୍ତ୍ତାଙ୍କୁ ଗ୍ରହଣ କଲାବେଳେ ଦୁର୍ଯ୍ୟୋଧନ ସୃଷ୍ଟିକୁ ମାତ୍ର ଆଦର କରି ନେଇଛନ୍ତି । ରଚନାଟିର ଏହି ହେଲା ବିଷୟବସ୍ତୁ ।

 

୩ । ଶିରଦାନ-

ଖୋରଧା ପାଇକ-ବିଦ୍ରୋହର ପରବର୍ତ୍ତୀ ଘଟଣା । ବିଦେଶୀ ଶସକର ପ୍ରବଳ ଦଳନ, ଶୋଷଣ ଓ ନିର୍ଯାତନ ପରେ ମଧ୍ୟ ଉତ୍କଳର ବୀରତ୍ୱ ଓ ମହତ୍ତ୍ୱ ପ୍ରଦୀପ ଲିଭି ଯାଇ ନଥିଲା ।ମାଣିତ୍ରୀଦଳବେହେରା ତାହାର ପ୍ରତୀକ । କବିତାଟି ତାଙ୍କରି ଯଶ ସ୍ମରଣରେ ।

 

୪ । ଦିଗ୍‌ବିଜୟ-

ସ୍ୱାଧୀନ ଉତ୍କଳରେ ଗଙ୍ଗ ବଂଶୀୟ ରାଜାମାନଙ୍କ ରାଜତ୍ୱ କାଳର ଗୋଟିଏ ଘଟଣା । ତେତେବେଳେ ଓଡ଼ିଶାର ରାଜଧାନୀ ଥିଲା ଯାଜପୁର । ମହାରାଜା ଦ୍ୱିତୀୟ ନରସିଂହ ଦେବଙ୍କ ପ୍ରଦତ୍ତ ତାମ୍ରଲିପି ଏହାର ପ୍ରମାଣ ଦିଏ । ରୟାଲ ଏସିଆଟିକ୍‌ସୋସାଇଟିଅଫ୍‌ବେଙ୍ଗଲର ପୁରାତନ ପ୍ରକାଶନ, ପ୍ରଥମ ଖଣ୍ଡ ପୃ ୨୩୨ ଷ୍ଠାଦ୍ରଷ୍ଟବ୍ୟ।

 

୫ । ଅତି ବଡ଼-

ଭାଗବତ ଗ୍ରନ୍ଥକାର ମହାତ୍ମା ଜଗନ୍ନାଥ ଦାସଙ୍କ ମହନୀୟ ଚରିତ । ଦିବାକର ଦାସ ପ୍ରଣୀତ ଜଗନ୍ନାଥ-ଚରିତାମୃତରୁ ବିଷୟବସ୍ତୁ ଗୃହୀତ ।

 

୬ । ମାଳତୀ-

ମୋର ବାଲ୍ୟଜୀବନ ନରସିଂହ ପୁରରେ ଅତିବାହିତ ହୋଇଥିଲା। ସେଠାରେ ଲୋକ ମୁଖରେ ଆଜି ମଧ୍ୟ ୪୦୦ ବର୍ଷ ତଳର ଏହି ଘଟଣାଟିର ବର୍ଣ୍ଣନା ଶୁଣାଯାଏ । ଉତ୍କଳ ରମଣୀର ଏହା ଗୋଟିଏ ତ୍ୟାଗ, ଧୈର୍ଯ୍ୟ, ବୀରତ୍ୱ ଓ ପତିଭକ୍ତିରଜ୍ୱଳନ୍ତ ଇତିହାସ ।

‘ପରଗଳା’-ନରସିଂହପୁରର ଇଷ୍ଟଦେବୀ।